ପବନରେ ପହଁରୁଛି ଭୂତାଣୁ, ଗବେଷକଙ୍କ ଯୁକ୍ତି ସତ ହେଲେ ମହାମାରୀ ନେବ ଉଗ୍ରରୂପ

1 min read

ନୂଆଦିଲ୍ଲୀ: କରୋନାଗ୍ରାଫରେ ଉପରମୁହାଁ ଭାରତ । ବିଶ୍ୱର ସର୍ବାଧିକ ସଂକ୍ରମଣ ତାଲିକାରେ ୩ ନମ୍ବରରେ ପହଞ୍ଚିଛି । ମାତ୍ର କିଛି ଦିନ ଭିତରେ ରୁଷକୁ ପଛରେ ପକାଇଛି ଭାରତ । ସେପଟେ ଭୂତାଣୁର ନୂଆ ରୂପ ଦେଶ ପାଇଁ ଆଣିପାରେ ମହାବିପଦ । କାରଣ ବିଭିନ୍ନ ଦେଶର ଗବେଷକ କହିଛନ୍ତି, ପବନରେ ବ୍ୟାପୁଛି କରୋନା । ଏହି ତଥ୍ୟ ଯଦି ସତ ହୁଏ, ତେବେ ଜନବହୁଳ ଭାରତରେ ମହାମାରୀ ସଂକ୍ରମଣ ବଢିବାର ଆଶଙ୍କା ସୃଷ୍ଟି ହୋଇଛି ।

ରୂପ ବଦଳାଉଛି କରୋନା । ଭୂତାଣୁ ଦେଖାଉଛି ସଂକ୍ରମଣର ଭିନ୍ନ ଭିନ୍ନ ରୂପ । କେବଳ ସଂସ୍ପର୍ଶରେ ଆସିଲେ ନୁହେଁ ବରଂ ପବନରେ ବ୍ୟାପିପାରେ ମହାମାରୀ । ବିଶ୍ୱର ଅଗ୍ରଣୀ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟରେ ଏଭଳି ଦାବି କରାଯାଇଛି । କରୋନା ଉପରେ ଗବେଷଣା କରୁଥିବା ୩୨ ଦେଶର ୨୩୯ ଜଣ ବୈଜ୍ଞାନିକ କରୋନାର ଏ ଭିନ୍ନ ରୂପ ସମ୍ପର୍କରେ ପ୍ରକାଶ କରିଛନ୍ତି । କହିଛନ୍ତି, ପବନରେ ବି ଉଡ଼ିପାରେ ଭୂତାଣୁର ଛୋଟ ଛୋଟ କଣିକା । ଏଣୁ ଭୂତାଣୁର ସଂକ୍ରମଣ ନେଇ ସଂଶୋଧନ କରିବାକୁ WHOକୁ ବୈଜ୍ଞାନିକମାନେ ନିବେଦନ କରିଛନ୍ତି ।

ସେପଟେ ଏବେ ବି ନିଜ କଥାରେ ଅଟଳ ରହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ପବନରେ ଭୂତାଣୁ ବ୍ୟାପିବାର କୌଣସି ପ୍ରମାଣ ନଥିବା କହିଛି WHO । କେବଳ କଫ, ଛିଙ୍କ ଓ ସଂସ୍ପର୍ଶରେ ଆସିଲେ ହିଁ ଭୂତାଣୁ ବ୍ୟାପିଥାଏ ବୋଲି ଦାବି ଦୋହରାଇଛି WHO । ବୈଜ୍ଞାନିକଙ୍କ ଗବେଷଣା ସତ ହେଲେ ଭାରତ ପାଇଁ ଏହା ସବୁଠୁ ଅଧିକ ବିପଦ ଆଣିବ । ଖାସ କରି ବସ୍ତି ଓ ଲୋକଙ୍କ ସଂଖ୍ୟା ବହୁଳ ସହର ଗୁଡିକରେ ମହାମାରୀ ଦେଖାଇପାରେ ଭୟଙ୍କର ରୂପ ।

Leave a Reply