ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦାବି- ଭାରତରେ ଆରମ୍ଭ ହେଲାଣି କରୋନାର ଗୋଷ୍ଠୀ ସଂକ୍ରମଣ

1 min read

ନୂଆଦିଲ୍ଲୀ: ଦେଶରେ କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଗଲାଣି । ସୋମବାର ଦେଶରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୫ ହଜାର ୩୯୪କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ୫୩୫ରେ ପହଞ୍ଚିଛି । ଦେଶର ବହୁଳ ଓ ମଧ୍ୟମ ଲୋକ ରହୁଥିବା ଅଞ୍ଚଳରେ କରୋନା ଭାଇରସର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି । ଏ ନେଇ ଏମ୍ସ ଡାକ୍ତର ଓ ଆଇସିଏମଆର୍ ଅଧ୍ୟୟନ ଗୋଷ୍ଠୀର ୨ ଜଣଙ୍କ ସହ ସହ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ନିଶ୍ଚିତ କରିଛନ୍ତି । କିନ୍ତୁ, ସରକାର ବାରମ୍ବାର କହି ଆସୁଛନ୍ତି ଦେଶରେ ସଂକ୍ରମଣ ଗୋଷ୍ଠୀ ସ୍ତରରେ ପହଞ୍ଚି ନାହିଁ ।

ଭାରତୀୟ ଜନସ୍ୱାସ୍ଥ୍ୟ ସଂଗଠନ, ଭାରତୀୟ ପ୍ରତିଷେଧକ ଓ ସାମାଜିକ ଔଷଧ ସଂଗଠନ, ଭାରତୀୟ ମହାମାରୀ ବିଜ୍ଞାନ ସଂଘର ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଛି । ଯେଉଁଥିରେ ‘ଭାରତରେ କରୋନା ଭାଇରସର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା କୁହାଯାଇଛି । ଗୋଷ୍ଠୀ ସଂକ୍ରମଣ ଦେଶର ବହୁଳ ଓ ମଧ୍ୟମ ଜନସଂଖ୍ୟା ରହୁଥିବା ଅଞ୍ଚଳରେ ଆରମ୍ଭ ହୋଇଛି । ଏହି ସ୍ତରରେ କୋଭିଡ୍-୧୯ ବା କରୋନାକୁ ଖତମ କରିବା ସହଜ ନୁହେଁ’ ।

ରିପୋର୍ଟ ପ୍ରକାରେ, ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ବେଳେ ସଂକ୍ରମଣ ବୃଦ୍ଧି ପାଇଛି । ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ ଦେଶର ଅର୍ଥ ବ୍ୟବସ୍ଥାକୁ ଟ୍ରାକକୁ ଆଣିବା ପାଇଁ କେତକ ରିହାତି ଦିଆଯାଇଥିଲା । ସାଧାରଣ ଲୋକଙ୍କ ସୁବିଧା ପାଇଁ ମଧ୍ୟ ପ୍ରୟାସ କରାଯାଇଥିଲା । ତେବେ, ଲକଡାଉନ୍ ରିହାତି ନେଇ ସରକାର ବିଶେଷଜ୍ଞଙ୍କ ମତ ନନେଇ ମହମାରୀରୁ ମୁକୁଳିବା ପାଇଁ ନିଷ୍ପତ୍ତି ନେଇଥିବା କୋଭିଡ୍ ଟ୍ୟାସ୍କଫୋର୍ସର ୧୬ ସଦସ୍ୟ କହିଛନ୍ତି ।

ସରକାର ମହାମାରୀ ବିଶେଷଜ୍ଞଙ୍କ ସହ ଆଲୋଚନା କରିଥିଲେ । ଏହାଠୁ ଭଲ୍ ଉପାୟ ପାଇଥାନ୍ତେ । ସରକାର ପ୍ରଶାସକଙ୍କ ଉପରେ ଭରସା କରିଛନ୍ତି । ଯେଉଁଥିରେ କି ମହାମାରୀ ବିଜ୍ଞାନ, ଜନ ସ୍ୱାସ୍ଥ୍ୟ, ପ୍ରତିଷେଧକ ଔଷଧ, ସାମାଜିକ ବିଜ୍ଞାନ କ୍ଷେତ୍ରରେ ଥିବା ବୈଜ୍ଞାନିକଙ୍କ ଭୂମିକା ସୀମିତ ଥିବା ଅଭିଯୋଗ କରିଛନ୍ତି ।

କରୋନାର କେତୋଟି ଷ୍ଟେଜ୍ ?

ସରକାରଙ୍କ ଅନୁଯାୟୀ ଭାରତରେ କରୋନା ଏବେ ଦ୍ୱିତୀୟ ପର୍ଯ୍ୟାୟରେ ଅଛି । ଯେତେବେଳେ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଦେଶରେ କରୋନାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ସାରିଥିବା ନିଶ୍ଚିତ କରିଛନ୍ତି । ଏମିତିରେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି କରୋନାର କେତୋଟି ପର୍ଯ୍ୟାୟ ରହିଛି । ଆଉ କେଉଁ ପର୍ଯ୍ୟାୟରେ କରୋନା ବେଶୀ କ୍ଷତିକାରକ ? କରୋନା ଭାଇରସର ୪ଟି ପର୍ଯ୍ୟାୟ ରହିଛି ।

ପ୍ରଥମ- ଏହି ପର୍ଯାୟରେ କରୋନା ଭାଇରସ୍ କେବଳ ସଂକ୍ରମିତ ଦେଶରୁ ଆସିଥିବା ଲୋକଙ୍କ ଠାରେ ମିଳିଥାଏ । ସଂକ୍ରମଣ ରୋକିବାକୁ ଏହା ସବୁଠାରୁ ଭଲ ସମୟ ।

ଦ୍ୱିତୀୟ- ଏହି ପର୍ଯ୍ୟାୟକୁ ସ୍ଥାନୀୟ ସଂକ୍ରମଣ କୁହନ୍ତି । ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପରିବାର, ସମ୍ପର୍କୀୟ ଓ ପଡ଼ୋଶୀ ସଂକ୍ରମିତ ହୁଅନ୍ତି ।

ତୃତୀୟ- ଏହି ପର୍ଯ୍ୟାୟକୁ ଗୋଷ୍ଠୀ ସଂକ୍ରମଣ କୁହନ୍ତି । ଏହି ପର୍ଯ୍ୟାୟରେ ବିଦେଶରୁ ଫେରି ନଥିବା ଲୋକ ଓ କାହା ସହ ସମ୍ପର୍କରେ ଆସିନଥିବା ଲୋକ ମଧ୍ୟ ସଂକ୍ରମିତ ହୋଇଥାନ୍ତି । ଏଭଳିକି ସଂକ୍ରମିତ କେଉଁଠାରୁ ହେଲେ ତାହା ମଧ୍ୟ ଜଣାପଡ଼ି ନଥାଏ ।

ଚତୁର୍ଥ- କୌଣସି ମହାମାରୀର ଅନ୍ତିମ ଶେଷ ହେଉଛି ଚତୁର୍ଥ ପର୍ଯ୍ୟାୟ । ଏହି ପର୍ଯ୍ୟାୟରେ ସଂକ୍ରମଣ ବ୍ୟକ୍ତିଠାରୁ ବ୍ୟକ୍ତିଙ୍କୁ ଦ୍ରୁତ ଗତିରେ ହୋଇଥାଏ ।

Leave a Reply