ସଂସଦରୁ ବହିଷ୍କୃତ ମହୁଆ ମୈତ୍ର ଏବେ କରିବେ କ’ଣ ?

ନୂଆଦିଲ୍ଲୀ: ଲୋକସଭାରୁ ବହିଷ୍କୃତ ହେବା ପରେ ଏବେ ଟିଏମସି ସାଂସଦ ମହୁଆ ମୈତ୍ର କରିବେ କ’ଣ ? କ’ଣ ରହିଛି ତାଙ୍କ ପାଖରେ ବିକଳ୍ପ ? ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ଏଥିକ୍ସ କମିଟି ରିପୋର୍ଟ ଅନୁସାରେ ମହୁଆଙ୍କୁ କରାଯାଇଛି ବହିଷ୍କୃତ । ସାଂସଦ ପଦରୁ ବହିଷ୍କୃତ ହେବା ପରେ ସେ ଏହି ନିଷ୍ପତ୍ତି ବିରୋଧରେ କୋର୍ଟକୁ ଯାଇପାରିବେ । ବେଆଇନ ଭାବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଅସାମ୍ବିଧାନିକ ପଦକ୍ଷେପ, ନ୍ୟାୟ ପାଇବା ଅଧିକାରରୁ ବଞ୍ଚିତ ଆଦି କାରଣକୁ ଆଧାର କରି ସେ ଆଇନଗତ ପଦକ୍ଷେପ ନେଇପାରିବେ । ଅତୀତରେ ଏପରି ଘଟଣାରେ ସୁପ୍ରିମକୋର୍ଟ ବିଭିନ୍ନ ପଦକ୍ଷେପ ନେଇଥିବା ନଜିର ରହିଛି ।

୨୦୦୭ ରାଜା ରାମପାଲ ମାମଲାରେ ଜଣେ ସାଂସଦଙ୍କୁ ବହିଷ୍କାର କରିବା କ୍ଷମତା ସଂସଦ ହାତରେ ରହିଛି ବୋଲି ପ୍ରମାଣିତ ହୋଇଛି । ତେବେ ଜଣେ ସାଂସଦଙ୍କୁ ବହିଷ୍କାର କରିବା ଘଟଣାରେ ବିଚାରପତିଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଥିଲା । ସମ୍ବିଧାନର ଧାରା ୧୦୧କୁ ନେଇ ମଧ୍ୟ ବିତର୍କ ରହିଛି । ଏହି ଧାରା ଅନୁସାରେ ଜଣେ ସଦସ୍ୟଙ୍କୁ ବିଭିନ୍ନ କାରଣରୁ ଉଭୟ ଗୃହର ସଦସ୍ୟ ପଦ ହରାଇବାକୁ ପଡିପାରେ । ଅମରିନ୍ଦର ସିଂ ବନାମ ପଞ୍ଜାବ ବିଧାନସଭା ସ୍ପେଶାଲ କମିଟି ମାମଲାରେ ଅମରିନ୍ଦର ସିଂଙ୍କ ବହିଷ୍କାରକୁ ଅବୈଧ ଦର୍ଶାଇଥିଲେ ସୁପ୍ରିମକୋର୍ଟ ।

ପ୍ରଥମତଃ ମହୁଆ ଏଥିକ୍ସ କମିଟି ବିରୋଧରେ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରେ ଏକ ମାମଲା ଦାୟର କରିପାରନ୍ତି । ଦ୍ବିତୀୟତଃ ଏହାସହ ସେ ଏଥିକ୍ସ କମିଟିର କ୍ଷମତା ଓ ଆଚରଣ ବିରୋଧରେ ମାମଲା କରିପାରନ୍ତି । ତୃତୀୟତଃ ମହୁଆ ବରିଷ୍ଠ ସାଂସଦ କିମ୍ବା ସରକାରୀ କର୍ମଚାରୀଙ୍କ ହସ୍ତକ୍ଷେପ ଲୋଡିପାରନ୍ତି । ଚତୁର୍ଥରେ ସେ ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ମାନହାନୀ ମାମଲା ଦାୟର କରିବା ଲାଗି ପଦକ୍ଷେପ ନେଇପାରନ୍ତି ।