ବହିଷ୍କାର ପରେ ଧାରଣାରେ ଶ୍ରୀୟାସ୍ମିତା, ଦେଲେ ଆତ୍ମହତ୍ୟା ଧମକ; ପ୍ରକାଶ କହିଲେ ଶରତ କଂଗ୍ରେସ ପାଇଁ କଳଙ୍କ

ଭୁବନେଶ୍ବର: ଗତ ଶୁକ୍ରବାର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳି ମାଡ଼ । ଆଜି ୫ ଦଳୀୟ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ସମସ୍ତଙ୍କୁ ଦଳରୁ ୬ ବର୍ଷ ପାଇଁ କରାଯାଇଛି ବହିଷ୍କାର । ତେବେ ଏହି କାର୍ଯ୍ୟାନୁଷ୍ଠାନ ପରେ କଂଗ୍ରେସରେ ଉଠିଛି ବିଦ୍ରୋହର ସ୍ବର । ଦଳରୁ ବହିଷ୍କୃତ ଶ୍ରୀୟାସ୍ମିତା ପଣ୍ଡା କଂଗ୍ରେସ ଭବନରେ ଧାରଣାରେ ବସିଥିବା ବେଳେ ଦେଇଛନ୍ତି ଆତ୍ମହତ୍ୟା ଧମକ । ସେପଟେ କାର୍ଯ୍ୟାନୁଷ୍ଠାନର ଶିକାର ପ୍ରକାଶ ମିଶ୍ର ପିସିସି ସଭାପତିଙ୍କ ବିରୋଧରେ ବିଷ ଉଗାରିଛନ୍ତି ।

ପିସିସି ସଭାପତିଙ୍କ ଶୁକ୍ରବାର କାଳି ମାଡ଼ ଘଟଣା ପରେ ଆଜି ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ତେବେ ଏହି କାର୍ଯ୍ୟାନୁଷ୍ଠାନ ପରେ କଂଗ୍ରେସ ସୃଷ୍ଟି ହୋଇଛି କମ୍ପନ । ବହିଷ୍କାର ନିଷ୍ପତ୍ତି ବିରୋଧରେ କଂଗ୍ରେସ ଭବନରେ ଧାରଣାରେ ବସିଛନ୍ତି ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ଶ୍ରୀୟାସ୍ମିତା ପଣ୍ଡା । ତାଙ୍କ ଉପରେ ଲଗାଯାଇଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । କାଳିମାଡ ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନଥିବା ସେ କହିଛନ୍ତି । ଏହାସହ ସେ କହିଛନ୍ତି, ‘ବିନା କାରଣ ଦର୍ଶାଇ ତାଙ୍କୁ ବହିଷ୍କାର କରାଯାଇଛି । ତେଣୁ ସଭାପତିଙ୍କ ସମେତ ଅନ୍ୟ କର୍ମକର୍ତ୍ତାଙ୍କ ବିରୋଧରେ ଏତଲା ଦେବା ସହ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି । ଶୃଙ୍ଖଳା କମିଟି ବୈଠକରେ କାହିଁକି ପକ୍ଷ ରଖିବା ଲାଗି ଦିଆଗଲା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

ସେହିପରି କାର୍ଯ୍ୟାନୁଷ୍ଠାନର ଶିକାର ପ୍ରଦୀପ ମିଶ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବିରୋଧରେ ବିଷ ଉଗାରିଛନ୍ତି । ଶରତ, କଂଗ୍ରେସ ପାଇଁ କଳଙ୍କ କହିବା ସହ ଟିକେଟ ବଣ୍ଟାରେ ଟଙ୍କା କାରବାର ଅଭିଯୋଗ ଆଣିଛନ୍ତି । ଏପରିିକି ଚଳିତ ନିର୍ବାଚନ କଂଗ୍ରେସ ଜିତିବା ପାଇଁ ଲଢ଼ୁ ନଥିଲା ବୋଲି ସେ କହିଛନ୍ତି । ନିର୍ବାଚନ ବେଳେ ଦଳୀୟ ପ୍ରାର୍ଥୀଙ୍କୁ କୌଣସି ପ୍ରକାର ସହାୟତା ପ୍ରଦାନ କରାଯାଇ ନଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ କେନ୍ଦ୍ରୀୟ ନେତାଙ୍କ ପାଖରେ ଫେରାଦ ହେବାକୁ ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ଶରତଙ୍କୁ କାଳିମାଡ଼ ଘଟଣାରେ ୫ ଜଣ କର୍ମୀଙ୍କୁ ଦଳରୁ ୬ ବର୍ଷ ଲାଗି ବହିଷ୍କାର କରାଯାଇଛି । ବହିଷ୍କୃତଙ୍କ ମଧ୍ୟରେ ପିସିସି ସାଧାରଣ ସମ୍ପାଦକ ପ୍ରକାଶ ମିଶ୍ର, ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ଶ୍ରୀୟାସ୍ମିତା ପଣ୍ଡା, ଏନଏସୟୁଆଇ ସମ୍ପାଦକ ସନ୍ଦୀପ ରାଉତରାୟ, ଯୁବ କଂଗ୍ରେସ ରାଜ୍ଯ ସମ୍ପାଦକ ଅମରେଶ ପରିଡା, ଏନଏସୟୁଆଇ ରାଜ୍ଯ ସମ୍ପାଦକ ଆର୍ଯ୍ୟନ ସାସମଲ ଅଛନ୍ତି । ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ ନେଇ ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ସୁପାରିସ ଆଧାରରେ ସେମାନଙ୍କୁ ବହିଷ୍କାର କରାଯାଇଛି । ଗତ ୨୧ ତାରିଖରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଚାମ୍ବରରେ ପଶି କିଛି ମୁଖାପିନ୍ଧା ଦୁର୍ବୃତ୍ତ କାଳିମାଡ କରିଥିଲେ ।

ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ମାନସ ଚୌଧୁରୀ ଓ ସୁରେଶ ରାଉତରାୟଙ୍କୁ ଦଳ ୬ ବର୍ଷ ପାଇଁ ବହିଷ୍କାର କରିଛି । ଦଳ ବିରୋଧୀ କିମ୍ବା ଦଳକୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କଲେ ବହିଷ୍କାର କରାଯିବ ବୋଲି ପିସିସି ପକ୍ଷରୁ ଅଘୋଷିତ ଫତୁଆ ଜାରି କରାଯାଇଥିବା ଚର୍ଚ୍ଚା ହେଉଛି ।