ଦୀର୍ଘ ଦିନର ଦାବି ପୂରଣ ନେଇ ନୂଆ ସରକାରଙ୍କ ଉପରେ ଆଶା

ଭୁବନେଶ୍ବର: ଦୀର୍ଘ ୨୪ ବର୍ଷ ପରେ ରାଜ୍ୟରେ ବିଜେପି ଗଢିଛି ନୂଆ ସରକାର । ପୂର୍ବରୁ ବିଜେପି ବିରୋଧୀ ଭୂମିକାରେ ରହିବା ସହ ରାଜ୍ୟର ବିଭିନ୍ନ ବର୍ଗର ଦାବି ତଥା ଆନ୍ଦୋଳନକାରୀଙ୍କ ସହ ଛିଡା ହୋଇଥିଲା । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ସେତେବେଳେର ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆନ୍ଦୋଳନରତ ବିଭିନ୍ନ ବର୍ଗର ସଂଗଠନ ପାଖରେ ଟେଣ୍ଟରେ ପହଞ୍ଚି ସେମାନଙ୍କ ସମସ୍ୟା ବୁଝିବା ସହ ସେମାନଙ୍କ ଦାବି ଯଥାର୍ଥ ବୋଲି କହିଥିଲେ । ତେଣୁ ବର୍ତ୍ତମାନ ସେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ପରେ ସେସବୁ ସଂଗଠନ ଦାବି ପୂରଣ ନେଇ ଏବେ ବେଶ ଆଶାବାଦୀ ହୋଇଉଠିଛନ୍ତି ।

ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ରାଜ୍ୟର ବିଭିନ୍ନ ସଂଗଠନ ବହୁ ଦାବି ନେଇ ବହୁ ଦିନ ଧରି ଆନ୍ଦୋଳନ ଜାରି ରଖିଥିଲେ । ବିଭିନ୍ନ ସଂଗଠନର ଦାବି ମଧ୍ୟ ପୂର୍ବ ସରକାର ପୂରଣ କରିବା ସହ ସେମାନଙ୍କ ପାଇଁ ଖୁସିର ପରିବେଶ ସୃଷ୍ଟି କରିଥିଲେ । କିନ୍ତୁ ଆହୁରି କିଛି ସଂଗଠନର ଦାବି ପୂରଣ ହୋଇପାରି ନଥିଲା । ରାଜ୍ୟ ବେସରକାରୀ ଅନୁଦାନ ଏବଂ ଅଣଅନୁଦାନପ୍ରାପ୍ତ କଲେଜ ସଂଘର ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଗ୍ରାଣ୍ଟ ଇନ ଏଡ଼ ପରିସରଭୁକ୍ତ କରିବା ପାଇଁ ଦୀର୍ଘ ଦିନ ଧରି ଦାବି ହୋଇଆସୁଛି । ସରକାରୀ ସ୍ତରରେ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଗତ ନିର୍ବାଚନ ପୂର୍ବରୁ ସେମାନଙ୍କ ଦାବି ପୂରଣ ହୋଇ ନଥିଲା । ଏପରିକି ସଂଘ ପକ୍ଷରୁ ଅଧ୍ୟାପକମାନେ ଦୀର୍ଘ ଦିନ ଧରି ଭିନ୍ନ ଢଙ୍ଗରେ ଆନ୍ଦୋଳନ କରିଥିଲେ । ଯାହାକି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା । ସେତେବେଳର ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଆନ୍ଦୋଳନକାରୀଙ୍କ ପାଖରେ ପହଞ୍ଚି ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିବା ସହ ସବୁ ଦାବି ଯୁକ୍ତିଯୁକ୍ତ ଓ ତୁରନ୍ତ ପୂରଣ ହେବା ଦରକାର ବୋଲି କହିଥିଲେ । ସେହିପରି ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କୁ ସ୍ଥାୟୀ କରାଯାଇଥିଲେ ମଧ୍ୟ ଆହୁରି ବହୁ କର୍ମଚାରୀ ଏଥିରୁ ବାଦ ପଡ଼ିଛନ୍ତି । ଏଥିସହିତ ସେମାନେ ପୁରୁଣା ପେନସନ, ବାଦ ପଡିଥିବା କର୍ମଚାରୀଙ୍କୁ ନିୟମିତ କରିବା, ସ୍ୱାସ୍ଥ୍ୟ ବୀମା ତଥା ଅନ୍ୟାନ୍ୟ ଦାବି ନେଇ ସେମାନେ ଆନ୍ଦୋଳନ କରୁଥିଲେ । ସେ ସମୟରେ ସେମାନଙ୍କୁ ଭେଟି ମୋହନ ମାଝୀ ସବୁ ଦାବିକୁ ସମର୍ଥନ କରିଥିଲେ । ଫଳରେ ଏବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏସବୁକୁ ପୂରଣ କରିବେ ବୋଲି ଦୃଢ଼ ଆଶାବାଦୀ ଅଛନ୍ତି ବିଭିନ୍ନ ସଂଘ । ଏପରିକି ପୁରୁଣା ପ୍ରତିଶ୍ରୁତିକୁ ମନେ ପକାଇବା ପାଇଁ ସଂଘଗୁଡିକ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପ୍ରସ୍ତୁତ ହେଉଥିବା କହିଛନ୍ତି ।

ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ସମୟରେ ଆନ୍ଦୋଳନ ସ୍ଥଳୀ ଯାଇ ଆନ୍ଦୋଳନକାରୀଙ୍କ ସମସ୍ୟା ଶୁଣିବା ସହ ସେମାନଙ୍କ ସମସ୍ୟାକୁ ବିଧାନସଭାରେ ମଧ୍ୟ ଉଠାଇଥିଲେ ମୋହନ ମାଝୀ । ଏପରିକି ବର୍ତ୍ତମାନ ବିଜେପି ସରକାରରେ ମନ୍ତ୍ରୀ ହୋଇଥିବା ବହୁ ବିଧାୟକ ମଧ୍ୟ ଆନ୍ଦୋଳନକାରୀଙ୍କ ସହ ଛିଡା ହୋଇଥିଲେ । ତେଣୁ ଏବେ ବିଜେପି ସରକାର ଗଢିବା ସହ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଆନ୍ଦୋଳନକାରୀମାନେ ଦାବି ପୂରଣ ନେଇ ବେଶ ଆଶାବାଦୀ ବୋଲି କହିଛନ୍ତି । ସେପଟେ ବିଜେପି ସରକାର ସେସବୁ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ରାଜନୀତି ସମୀକ୍ଷକ ମାନେ ମଧ୍ୟ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ନିର୍ବାଚନ ପୂର୍ବରୁ ବହୁ ଆନ୍ଦୋଳନକାରୀ ଆନ୍ଦୋଳନରେ ବସି ରହିଥିଲେ । ନିର୍ବାଚନ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଆନ୍ଦୋଳନ କାରୀମାନେ ଆନ୍ଦୋଳନ ସ୍ଥଗିତ ରଖିଥିଲେ । ଏବେ ନିର୍ବାଚନ ଶେଷ ହେବା ସହ ନୂଆ ସରକାର ଗଠନ ହୋଇଥିବାରୁ ସଂଗଠନଗୁଡିକ ଦାବି ପୂରଣ ନେଇ ବେଶ ଆଶାବାଦୀ ହୋଇପଡିଛନ୍ତି ।