କର୍ଣ୍ଣାଟକରେ ଆସିବ କି କଂଗ୍ରେସ ସରକାର? ଏକଜିଟ୍ ପୋଲରେ ବହୁମତ

1 min read

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏଥର କଂଗ୍ରେସ ସରକାର। ବିଭିନ୍ନ ଏକଜିଟ୍ ପୋଲରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିବା ନେଇ ସୂଚନା ମିଳୁଛି। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ରହିଛି ୧୧୩। ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ସର୍ଭେରେ କଂଗ୍ରେସକୁ ୧୨୨ରୁ ୧୪୦ଟି ଆସନ ମିଳିବା ନେଇ ଆକଳନ କରାଯାଇଛି।

ସେହିପରି ବିଜେପିକୁ ଶକ୍ତ ଝଟକା । ଆକଳନରେ ୮୦ ଟପି ପାରୁନି ବିଜେପି । ୬୨ରୁ ୮୦ଟି ଆସନରେ ବିଜେପିକୁ ସନ୍ତୁଷ୍ଟ ହେବାକୁ ପଡିପାରେ । ସେହିପରି ଜେଡିଏସର କିଙ୍ଗ ମେକର ସ୍ବପ୍ନ ହୋଇପାରେ ଧୂଳିସାତ । କୁମାରସ୍ବାମୀଙ୍କ ଦଳକୁ ମାତ୍ର ୨୦ରୁ ୨୫ ଆସନ ମିଳିବା ନେଇ ଆକଳନ କରାଯାଉଛି । ସେହିପରି ଜି ନ୍ୟୁଜ-ମାଟ୍ରିକ୍ସ ସର୍ଭେରେ କଂଗ୍ରେସକୁ ୧୦୩ରୁ ୧୧୮ ଆସନ ମିଳୁଥିବାବେଳେ ବିଜେପିକୁ ୭୯ରୁ ୯୪ ଆସନ ମିଳିପାରେ।

ଇଣ୍ଡିଆ ଟିଭି-ସିଏନଏକ୍ସ ସର୍ଭେରେ କଂଗ୍ରେସକୁ ୧୧୦ରୁ ୧୨୦ ଆସନ ମିଳୁଥିବାବେଳେ ତିନି ଅଙ୍କ ଛୁଇଁପାରୁନି ବିଜେପି । ଏବିପି ନ୍ୟୁଜ-ସି-ଭୋଟର ସର୍ଭେରେ କଂଗ୍ରେସକୁ ୧୦୦ରୁ ୧୧୨ ଆସନ ମିଳୁଥିବାବେଳେ ବିଜେପି ୮୩ରୁ ୯୫ ଆସନ ମଧ୍ୟରେ ସୀମିତ ହୋଇପାରେ । ନ୍ୟୁଜ ୨୪-ଟୁଡେ ଚାଣକ୍ୟ ସର୍ଭେ କହୁଛି, କଂଗ୍ରେସକୁ ୧୨୦ ଆସନ, ବିଜେପିକୁ ୯୨, ଜେଡିଏସକୁ ୧୨ ଟି ଆସନ ମିଳିପାରେ ।

ସେପଟେ କର୍ଣ୍ଣାଟକ ବିଧାନସଭା ଲାଗି ସରିଛି ମତଦାନ। ୨୨୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ସରିଛି ଭୋଟିଂ। ମତଦାନ କରିଛନ୍ତି ୫ କୋଟିରୁ ଅଧିକ ଭୋଟର। ମଇଦାନରେ ଅଛନ୍ତି ୨୬୧୫ ପ୍ରାର୍ଥୀ । ନିର୍ବାଚନ ପାଇଁ ରାଜ୍ୟରେ ମୋଟ୍ ୫୮ ହଜାର ୫୪୫ ପୋଲିଂ ଷ୍ଟେସନର ବ୍ୟବସ୍ଥା କରାଯାଇଥିଲା ।