ଏକଜିଟ୍ ପୋଲରେ ଚମତ୍କାର: ଯେଉଁଠି ମୋଟ ଆସନ ସଂଖ୍ୟା ୨୫, ସେଠି ବିଜେପିକୁ ମିଳୁଛି ୩୩ ଆସନ !

1 min read

ଭୁବନେଶ୍ୱର : ଶନିବାର ଦିନ ଅନ୍ତିମ ପର୍ଯ୍ୟାୟ ମତଦାନ ସହିତ ଦେଶରେ ନିର୍ବାଚନୀ ତାତି କିଛିଟା କମିଛି। ନେତାଙ୍କ ଭାଗ୍ୟ ଇଭିଏମରେ ବନ୍ଦ ହୋଇ ଷ୍ଚ୍ରଙ୍ଗରୁମରେ ଅଛି । ଦେଶର କୌଣସି ହାୱାର ଅଭାବ ଭିତରେ ଲଢା ଯାଇଥିବା ଏହି ନିର୍ବାଚନରେ ବିଜେପି ‘ଅବକି ବାର ୪ଶୋ ପାର’ର ସ୍ଲୋଗାନରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ସହିତ ବିଜେପିର ୪ଶହ ପାର୍ ସ୍ଲୋଗାନରେ ଦମ ନଥିବା ଜଣା ପଡ଼ିଥିଲା । ଦେଶର ସେୟାର ମାର୍କେଟଠାରୁ ସଟ୍ଟା ବଜାର, ସବୁଠାରେ ବିଜେପିର ବିରାଟ ବିଜୟକୁ ନେଇ ଆଶଙ୍କା ବ୍ୟକ୍ତ କରାଯାଇଥିଲା। ନିର୍ବାଚନ ସରୁସରୁ ବିଜେପି ଏକକ ସଂଖ୍ୟାଗରିଷ୍ଠତା ପାଇବ କି ନାହିଁ ତାକୁ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଥିଲା । ଏହାରି ଭିତରେ ଶନିବାର ଅନ୍ତିମପର୍ଯ୍ୟାୟ ନିର୍ବାଚନ ସରିବା ସହିତ ଦେଶର ପ୍ରାୟ ସବୁ ଚ୍ୟାନେଲ ଏକଜିଟ୍ ପୋଲ୍ ଆଣିଥିଲେ। ଏକାଧିକ ଏକଜିଟ୍ ପୋଲରେ ବିଜେପି ପୁଣିଥରେ ଲଗାତର ତୃତୀୟଥର ପାଇଁ କ୍ଷମତାକୁ ଆସୁଥିବା କଥା କୁହାଯାଇଛି । କିନ୍ତୁ ଏକଜିଟ୍ ପୋଲର ସତ୍ୟତା ଉପରେ ଏବେ ପ୍ରଶ୍ନ ଉଠିଲାଣି । କିଛି ଏକଜିଟ୍ ପୋଲରେ  ବିଜେପି ଗୋଟିଏ ଗୋଟିଏ ରାଜ୍ୟରେ ମୋଟ୍ ଲୋକସଭା ଆସନଠାରୁ ଅଧିକ ସିଟ୍ ଜିତୁଥିବା କଥା କୁହାଯାଇଛି । ଯାହାର କ୍ଲିପ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରାଜସ୍ଥାନରେ ମୋଟ୍ ଲୋକସଭା ଆସନ ଯେତିକି ନୁହେଁ ବିଜେପିର ସମ୍ଭାବ୍ୟ ସିଟ୍ ସଂଖ୍ୟା ତା’ଠାରୁ ଅଧିକ:

ନ୍ୟୁଜ୍ ୨୪ ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲରେ ବିଜେପି ରାଜସ୍ଥାନରେ ୩୩ ଆସନ ଜିତୁଥିବା କଥା କୁହାଯାଇଛି । କିନ୍ତୁ ସତ ହେଉଛି ରାଜସ୍ଥାନରେ ଥିବା ଲୋକସଭା ଆସନ ସଂଖ୍ୟା ହେଉଛି ୨୫ । ଏମିତିରେ ବାକି ୮ ଆସନ ଏକଜିଟ୍ ପୋଲ୍ କରିଥିବା ସଂସ୍ଥା କେଉଁଠାରୁ ଆଣିଲା ବୋଲି ପ୍ରଶ୍ନ ଉଠୁଛି। ରାଜସ୍ଥାନରେ ବିଜେପିର ସ୍ଥିତି ଭଲ ନଥିବା କିଛି ରାଜନୈତିକ ବିଶ୍ଲେଷକ ଦାବି କରୁଥିବା ବେଳେ ୨୫ରୁ ୩୩ ଆସନ ବିଜେପିକୁ ଦେଇ ନ୍ୟୁଜ୍ ୨୪ ଲୋକହସା ହେଉଛି । ସୋସିଆଲ ମିଡିଆରେ ଚ୍ୟାନେଲକୁ ଟ୍ରୋଲ୍ କରାଯାଉଛି ।

ହିମାଚଳରେ ଏନଡିଏ ଜିତୁଛି ୬ରୁ ୮ ଆସନ !

ନ୍ୟୁଜ୍ ୨୪ ପରେ ଆଉଗୋଟିଏ ଚ୍ୟାନେଲ ତା’ର ଏକଜିଟ୍ ପୋଲରେ ବିଜେପି ନେତୃତ୍ୱାଧିନ ଏନଡିଏକୁ ହିମାଚଳ ପ୍ରଦେଶରେ ପ୍ରଚଣ୍ଡ ବହୁମତ ଦେଇଛି । ଜି-ନ୍ୟୁଜ୍ ତା’ର ଏଗଜିଟ୍ ପୋଲରେ ହିମାଚଳ ପ୍ରଦେଶରେ ଏନଡିଏ ୬ରୁ ୮ ଆସନ ଜିତିବ ବୋଲି କହିଛି । ତେବେ ସତ ହେଲା ହିମାଚଳ ପ୍ରଦେଶର ମୋଟ ଲୋକସଭା ଆସନ ସଂଖ୍ୟା ହେଉଛି ୪ । ଯଦି ଜି ନ୍ୟୁଜ୍ କଥାକୁ ବିଶ୍ୱାସ କରାଯାଏ ତେବେ ପ୍ରଶ୍ନ ଉଠୁଛି ବାକି ୪ ଆସନ କୁଆଡୁ ଆସିବ ।

ସେହିଭଳି ଜି ନ୍ୟୁଜ୍ ଅନୁସାରେ ହରିଆନାରେ ବିଜେପି ୧୬ରୁ ୧୯ ଲୋକସଭା ଆସନ ଜିତିବ । ଏହା ଅଥିପାଇଁ ଚକିତ କରିବା ଭଳି ଖବର ଯେ, ହରିଆନାରେ ମୋଟ ଲୋକସଭା ଆସନ ସଂଖ୍ୟା ହେଉଛି ୧୦ । ଏମିତିରେ ବିଜେପି ଶତପ୍ରତିଶତ ଷ୍ଟ୍ରାଇକ୍ ରେଟ୍ ହାସଲ କଲେ ବି ବିଜେପି କେମିତି ୧୬ରୁ ୧୯ ଆସନ ଜିତିବ ତାହା ଏକ ବଡ଼ ପ୍ରଶ୍ନ

ଲଢୁଛନ୍ତି ୫ ଆସନ,ଜିତିବେ ୬ !

ଆକ୍ସିସ୍-ମାଇ ଇଣ୍ଡିଆ ଏକଜିଟ୍ ପୋଲ ବିହାରରେ ଚିରାଗ ପାଶ୍ୱାନଙ୍କ ଦଳ ୬ ଆସନ ଜିତିବ ବୋଲି କହିଛି । ଏହି ଦାବି ଅବିଶ୍ୱସନୀୟ ଲାଗୁଛି । କାରଣ ବିହାରରେ ଏନଡିଏ ମେଣ୍ଟର ଅଂଶିଦାର ଚିରାଗଙ୍କ ଦଳ ମାତ୍ର ୫ ଆସନରୁ ନିର୍ବାଚନ ଲଢୁଛି । ଏମିତିରେ ତାଙ୍କ ଆସନ ଶତ ପ୍ରତିଶତ ଷ୍ଟ୍ରାଇକ୍ ରେଟ୍ କଲେ ବି କେମିତି ୬ ଆସନ ଜିତିବ ତାହା ଗୋଟିଏ ବଡ଼ ପ୍ରଶ୍ନ