୧୫ ବର୍ଷ ପରେ ବିଜେପି ହାତରୁ ଖସିବ ଏମସିଡି, ବାଜି ମାରିବ ଝାଡୁ

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ବାଜି ମାରିବ ଝାଡୁ । ଦୀର୍ଘ ୧୫ ବର୍ଷ ପରେ ବିଜେପି ହାତରୁ ଖସିବ ଏମସିଡି । ଦିଲ୍ଲୀର ମିନି ସରକାର ଗଠନ ପାଇଁ ଆପ୍‌ ସପକ୍ଷରେ ଭୋଟ ପଡ଼ିଛି ବୋଲି ଗତକାଲି ବୁଥ୍ ବାହୁଡ଼ା ମତରୁ ଜଣାପଡ଼ିଛି । ଏଗଜିଟ ପୋଲ କରିଥିବା ଅଧିକାଂଶ ସଂସ୍ଥା ଦିଲ୍ଲୀ ଏମସିଡିରେ ଆମ ଆଦମୀ ପାର୍ଟିକୁ ପୂର୍ଣ୍ଣ ବହୁମତ ମିଳିଥିବା ରିପୋର୍ଟ କରିଛନ୍ତି ।

ଏଗଜିଟ ପୋଲ ସର୍ଭେକୁ ନେଇ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ଉତ୍ସାହ ଦେଖାଯାଇଛି । ବୁଥ ବାହୁଡ଼ା ମତକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ଦିଲ୍ଲୀବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏମସିଡି ରେଜଲ୍ଟକୁ ନେଇ ଆକ୍ସିସ ମାଇଁ ଇଣ୍ଡିଆ କରିଥିବା ସର୍ଭେରେ ଆପ୍ କୁ ୧୪୯ରୁ ୧୭୧ ସିଟ ମିଳିବ ବୋଲି କହିଛି । ସେହିପରି ବିଜେପିକୁ ୬୯ରୁ ୯୧ ସିଟ ଓ କଂଗ୍ରେସକୁ ୩ରୁ ୭ ସିଟ୍‌ ମିଳିବ ବୋଲି ସର୍ଭେ ରିପୋର୍ଟ ଦେଇଛି ।

ଅନ୍ୟପଟେ ନ୍ୟୁଜ୍ ଏକ୍ସ ଜନ କି ବାତ୍ ଆପ୍‌କୁ ୧୫୯ରୁ ୧୭୫ ସିଟ୍‌ ମିଳିପାରେ ବୋଲି କହିଛି । ବିଜେପିକୁ ୭୦ରୁ ୯୨ ଓ କଂଗ୍ରେସକୁ ୪ରୁ ୭ ସିଟ ଆସନ ମିଳିପାରେ ବୋଲି କହିଛି ।