ଏକଜିଟ୍ ପୋଲରେ ଏନଡିଏକୁ ଝଟକା: ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିପାରନ୍ତି ଲାଲୁଙ୍କ ଯୁବରାଜ

ବିହାର: କାହାର ହେବ ବିହାର ? କିଏ ହେବେ ମୁଖ୍ୟମନ୍ତ୍ରୀ ? ଆସନ୍ତାକାଲି ଆସିବ ବିହାର ଜନାଦେଶ  । ତେବେ ରେଜଲ୍ଟ ପୂର୍ବରୁ ଏକଜିଟ୍ ପୋଲରେ ଏନଡିଏକୁ ଲାଗିଛି ଝଟକା । ନୀତିଶ କୁମାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଡ଼ିକୁ ବିହାର ଜନତା ପସନ୍ଦ କରିନାହାନ୍ତି  । ବିହାରରେ ନୀତୀଶଙ୍କ  ରାଜ୍ ଶେଷ ହୋଇପାରେ ବୋଲି ଏକଜିଟ୍ ପୋଲ୍ ଆକଳନ କରିଛି । ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିପାରନ୍ତି ଲାଲୁଙ୍କ ଯୁବରାଜ ତେଜସ୍ୱୀ ଯାଦବ । ଅନେକ ଦିନର ବ୍ୟବଧାନ ପରେ କଂଗ୍ରେସ ପୁଣି ଶାସନର ସ୍ୱାଦ ଚାଖିବ ।

ବୁଥ୍‌ ବାହୁଡ଼ା ମତରେ ମହାଗଠବନ୍ଧନର ବିଜୟ ହେବ ବୋଲି ଆକଳନ କରାଯାଇଛି ।  ଏକ‌ଜିଟ୍‌ ପୋଲ କହୁଛି ଏଥର ବିହାରରେ ମହାଗଠବନ୍ଧନ ସରକାର ଗଢ଼ିବ, ନଚେତ୍ ଏନ୍‌ଡିଏ ସହ ହେବ କାଣ୍ଟେ କି ଟକ୍କର । ଟାଇମ୍‌ସ ନାଓ ଆକଳନ କହୁଛି, ମହାଗଠବନ୍ଧନକୁ ମିଳିପାରେ ୧୨୦ ଆସନ  । ଏନ୍‌ଡିଏକୁ ମିଳିପାରେ ୧୧୬ ଆସନ । ଏଲ୍‌ଜେପିକୁ ୧ ଓ ଅନ୍ୟମାନଙ୍କୁ ମିଳିପାରେ ୮ ଆସନ  ।

ସେହିପରି ଏବିପି ନ୍ୟୁଜ୍‌ ଝୁଲା ବିଧାନସଭା ଆକଳନ କରିଛି । ଏନ୍‌ଡିଏକୁ ୧୦୪ରୁ ୧୨୮ ଆସନ ଏବଂ ମହାଗଠବନ୍ଧନକୁ ୧୦୮ରୁ ୧୩୧ ଆସନ ମିଳିପାରେ । ସେହିପରି ଏଲ୍‌ଜେପିକୁ ୧ରୁ ୩ ଆସନ ଓ ଅନ୍ୟାନ୍ୟ ଖାତାକୁ ଯାଇପାରେ ୪ରୁ ୮ ଆସନ । ଜନ୍‌ କି ବାତ୍‌ ଆକଳନରେ ମହାମେଣ୍ଟ ଆଗରେ ରହିଛି  । ଏହାର ସର୍ଭେ କହୁଛି, ଏନ୍‌ଡିଏକୁ ୯୧ରୁ ୧୧୭ ଓ ମହାମେଣ୍ଟକୁ ୧୧୮ରୁ ୧୩୮ ଆସନ ମିଳିବ  । ଏଲ୍‌ଜେପିକୁ ୧ରୁ ୩ ଆସନ ମିଳିବା ନେଇ ସଙ୍କେତ ମିଳିଛି  । ଏକ୍‌ଜିଟ୍ ପୋଲ୍‌ର ଆକଳନ ପରେ କଂଗ୍ରେସ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି  । ଏବେଠୁ ଏକ ଟିମ୍ ଗଠନ କରି ରାଜନୈତିକ ଉଷ୍ମତା ମାପିବାକୁ ବିହାର ପଠାଇଛନ୍ତି ସୋନିଆ ଗାନ୍ଧୀ  । ତେବେ ଆସନ୍ତାକାଲି ସବୁ ଚିତ୍ର ସ୍ପଷ୍ଟ ହେବ  । ଜଣାପଡିବ କିଏ ମାରିବ ବିହାର ବାଜି  ।

 

Leave a Reply