ଭିଜିଲାନ୍ସ ଜାଲରେ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ରେଡ୍

କଟକ: ଭିଜିଲାନ୍ସ ଜାଲରେ କଟକ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଓ ଭୁବନେଶ୍ବରର ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । କଟକ ଚାଉଳିଆଗଞ୍ଜ ସ୍ଥିତ ମହାନଦୀ ବିହାରରେ ଥିବା ଦୁଇ ମହଲା କୋଠାରେ ରେଡ୍ ବେଳେ ୫ ଶହ ଗ୍ରାମ୍ ସୁନା ସହ ୨ ଲକ୍ଷ ୬୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ସେହିପରି ୧୮ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ମଧ୍ୟ ଠାବ ହୋଇଛି ।

ସେପଟେ ନେମାଳ ଲେଣ୍ଡୁରା ଭଗବାନପୁରରେ ଥିବା ପୈତୃକ ଘର, ଗଣ୍ଡରପୁରରେ ଥିବା ଅଫିସ ସହ ପାହାଳ ଉତ୍କଳ ହାଇଟ୍ସରେ ଥିବା ଫ୍ଲାଟରେ ମଧ୍ୟ ରେଡ୍ କରିଛି ଭିଜିଲାନ୍ସ । ତେବେ ଉତ୍କଳ ହାଇଟ୍ସରେ ଥିବା ଫ୍ଲାଟ୍ ମନୋଜଙ୍କ ପତ୍ନୀ ଦେବସ୍ମିତା ବେହେରାଙ୍କ ନାଁରେ ରହିଛି । ଭିଜିଲାନ୍ସର ଏହି ଚଢାଉରେ ୪ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଓ ଅନ୍ୟ ସଦସ୍ୟ ସାମିଲ ହୋଇଛନ୍ତି । ତେବେ ଏପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।