କେନ୍ଦ୍ର ସରକାରଙ୍କୁ କାଠଗଡାରେ ଛିଡା କଲେ ସିରମର ବରିଷ୍ଠ ଅଧିକାରୀ, ଷ୍ଟକ୍ ନଦେଖି,ହୁ’ର ଗାଇଡ୍ ଲାଇନ୍ ନମାନି ଟିକାକରଣ

କରୋନା ମହାମାରୀ ସମୟରେ ସାରା ଦେଶରେ ଚାଲିଛି ଟିକାକରଣ । ୧୮ବର୍ଷରୁ ୪୪ବର୍ଷ ବୟସର ବ୍ୟକ୍ତିଙ୍କୁ ଦିଆଯାଉଛି ଟିକା । ହେଲେ ଟିକାକରଣ ପ୍ର୍ରକ୍ରିୟାକୁ ନେଇ ଅନେକ ସ୍ଥାନରୁ ଆସୁଛି ଅଭିଯୋଗ । କେଉଁଠି ଟିକାର ଅଭାବ ଦେଖାଯାଉଛି ତ ପୁଣି କେଉଁଠି ଟିକାକରଣ କେନ୍ଦ୍ରରେ ଅବହେଳା । ତେବେ କରୋନା ମହାମାରୀ ବିରୋଧରେ ଲଢିବାକୁ ହେଲେ ଟିକା ନେବା ବି ଜରୁରୀ । କିନ୍ତୁ ବର୍ତମାନ ସରକାରଙ୍କ ଟିକାକରଣକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଆଗରୁ ରାଜନୈତିକ ଦଳ ପ୍ରଶ୍ନ କରୁଥିଲେ,ଏବେ ପୁଣେର ଭ୍ୟାକସିନ ନିର୍ମାତା କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ସୁରେଶ ଯାଦବ ବି ସରକାରଙ୍କ ନୀତିକୁ ନେଇ ଉଠାଇଛନ୍ତି ପ୍ରଶ୍ନ ।

ସୁରେଶଙ୍କ ଅନୁସାରେ ସରକାର ଟିକାକରଣ ଯୋଜନା ତ’ କରିଦେଲେ କିନ୍ତୁ ବାସ୍ତବତାକୁ ନଜର ଅନ୍ଦାଜ କରିଛନ୍ତି । ତାଙ୍କ ଅନୁସାରେ ସରକାର କିଛି ନବୁଝି ଟିକାକରଣ କଥା ଘୋଷଣା କରିଥିଲେ । ନା ସରକାର ଷ୍ଟକ୍ କେତେ ଅଛି ଦେଖିଥିଲେ ନା ଟିକା କରଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡ୍ ଲାଇନକୁ ଅନୁସରଣ କରିଛନ୍ତି । କେତେ ଷ୍ଟକ୍ ଅଛି କେତେ ଟିକା ଆବଶ୍ୟକ ତା’ର ଆକଳନ ନକରି କେନ୍ଦ୍ର ସରକାର କରି ବିଭିନ୍ନ ଆୟୁବର୍ଗଙ୍କୁ ଟିକାକରଣ ପାଇଁ ଅନୁମତି ଦେଇଦେଇଛନ୍ତି । ଯାହା ସମ୍ପୂର୍ଣ୍ଣ ରୂପେ ଭୁଲ୍ ନିଷ୍ପତ୍ତି । ତାଙ୍କ କହିବା ଅନୁସାରେ ପ୍ରାଥମିକତା ଆଧାରରେ ଟିକାକରଣ ହେବା ଆବଶ୍ୟକ । ଏବଂ ଦେଶରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ନିର୍ଦ୍ଦାରିତ ନିୟମକୁ ବି ପାଳନ କରିବା ଜରୁରୀ । ପ୍ରଥମେ ୩୦କୋଟି ଲୋକଙ୍କୁ ଭ୍ୟାକସିନ୍ ଦେବା ପାଇଁ ୬୦ କୋଟି ଡୋଜ୍ ର ଆବଶ୍ୟକତା ଥିଲା । ଆଉ ଏହି ଟାର୍ଗେଟକୁ ପୂରା କରିବା ପୂର୍ବରୁ ହିଁ ସରକାର ସବୁଆୟୁବର୍ଗଙ୍କ ପାଇଁ ଘୋଷଣା କଲେ ଟିକାକରଣ । ଏ ସମ୍ଭନ୍ଧରେ କୈାଣସି ଆଲୋଚନା ପର୍ଯ୍ୟାଲୋଚନା ନ କରି ସରକାର କରିଦେଲେ ବଡ ଘୋଷଣା ।


ପର୍ଯ୍ୟାପ୍ତ ପରିମାଣରେ ଟିକା ଉପଲବ୍ଧ ନଥିବା କଥା ସରକାର ଜାଣିଥିଲେ ମଧ୍ୟ ଏଭଳି ଘୋଷଣ କରିଥିଲେ । ଏହିଭଳି ନିଷ୍ପତ୍ତି ନେଇ ସରକାର ନିଜ ପାଇଁ ଅସୁବିଧା ସୃଷ୍ଟି କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଭୁଲରୁ ଅନେକ ଶିକ୍ଷା ମିଳିଛି । ଜିନିଷର ଉପଲବ୍ଧତାକୁ ନଜରରେ ରଖିବାକୁ ପଡିବ । ଏହାର ସଠିକ୍ ଉପଯୋଗ କରିବାକୁ ପଡିବ । ଲୋକଙ୍କର ଅଭିଯୋଗ ରହିଛି ଯେ ଟିକା ନେବା ପରେ ବି ସେମାନେ ସଂକ୍ରମିତ ହେଉଛନ୍ତି । ଏଥିପାଇଁ ବି ସର୍ତକ ହେବାକୁ ପଡିବ । ତାସହ ଲୋକଙ୍କୁ ସଚେତନ କରାଇ ସମସ୍ତ ଗାଇଡ୍ ଲାଇନ୍କୁ ପାଳନ କରିବାକୁ ହେବ । ସୂଚନାଯୋଗ୍ୟ, ଦେଶରେ ଏବେସୁଦ୍ଧା ୧୯.୩୨ କୋଟି ଲୋକଙ୍କୁ ଟିକା ଦିଆଯାଇଛି । ଶୁକ୍ରବାର ହିଁ ୧୩,୮୩,୩୫୮ ଜଣଙ୍କୁ ଭାକସିନର ଡୋଜ୍ ପ୍ରଦାନ କରାଯାଇଥିଲା

Leave a Reply