କିଏ ହେବ ପିସିସି ସଭାପତି, ନୂଆ ନାଁ ପୁରୁଣା ?

1 min read

ଭୁବନେଶ୍ବର: ମୁଖିଆ ଖୋଜୁଛି କଂଗ୍ରେସ । କିଏ ହେବେ ପରବର୍ତ୍ତୀ ପିସିସି ସଭାପତି ? ଆସନ୍ତା ୨୬ ଓ ୨୭ ତାରିଖ ଦୁଇ ଦିନ ଧରି ଏଆଇସିସିର ୨ ଜଣ ପ୍ରତିନିଧି ଓଡିଶା କଂଗ୍ରେସ ନେତାଙ୍କ ସହ କରିବେ ମାନସ ମନ୍ଥନ । ନୂଆ ନାଁ ପୁରୁଣା ଚେହେରାକୁ ଦାୟିତ୍ବ ଦେଲେ ଓଡ଼ିଶାରେ ପୁଣି ହାତ ଉଠିବ ତାହାକୁ ନେଇ ବିଚାର ବିମର୍ଶ ଆରମ୍ଭ କରିଛି ଦଳ । ପ୍ରଥମ ଥର ପାଇଁ ନେତାଙ୍କ ମତକୁ ନେଇ ପିସିସି ସଭାପତି ଚୟନ ପ୍ରକ୍ରିୟା କରାଯାଉଥିବାରୁ କଂଗ୍ରେସ ଶିବିରରେ ଉତ୍ସାହର ମାହୋଲ ।

ନେତାଙ୍କ ମତକୁ ନେଇ ହେବ ମୁଖିଆ ଚୟନ। ସଠିକ ନେତୃତ୍ବ  ସହ ସଂଗଠନକୁ ମଜଭୁତ କରିବା ଦକ୍ଷତା ଥିବା ନେତାଙ୍କୁ ଖୋଜୁଛି କଂଗ୍ରେସ । ସମସ୍ତଙ୍କୁ ସାଙ୍ଗରେ ନେବା ସହ ବିଜେପିର ମନମୁଖି ଶାସନକୁ ଯିଏ ସଠିକ ଢଙ୍ଗରେ ବିରୋଧ କରିପାରୁଥିବ, ସେଭଳି ନେତାଙ୍କୁ ପିସିସି ସଭାପତି କରିବାକୁ କଂଗ୍ରେସର ଏହି ପ୍ରକ୍ରିୟାକୁ ଶେଷ ପର୍ଯାୟକୁ ନେଇଛି ଦଳ । ଆସନ୍ତ ୨୬ ଓ ୨୬ ତାରିଖରେ AICC ଅଧ୍ୟକ୍ଷ ମଲିକର୍ଜୁନ ଖଡ଼ଗେଙ୍କ ନିର୍ଦ୍ଦେଶରେ ଓଡ଼ିଶା ପାଇଁ ପିସିସି ସଭାପତି ଓ ସାଂଗଠନିକ ସ୍ଥିତି ନେଇ ରିପୋର୍ଟ ପ୍ରସ୍ତୁତ କରିବେ ଛତିଶଗଡ଼ର କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ ଓ ରାହୁଲ ଗାନ୍ଧୀଙ୍କ କୋର ଟିମ ସଦସ୍ୟ ମୀନାକ୍ଷୀ ନଟରାଜନ । ଦୁଇ ଦିନ ଧରି ଓଡ଼ିଶାରେ ଏହି ଦୁଇ ନେତା ରାଜ୍ୟ କଂଗ୍ରେସ ନେତାଙ୍କ ସହ ଆଲୋଚନା କରି ରିପୋର୍ଟ ପ୍ରସ୍ତୁତ କରିବେ । ଯାହାକୁ ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ଉତ୍ସାହ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ଏଆଇସିସି ପିସିସି ସଭାପତି ବାଛିବା ଲାଗି ନେତାଙ୍କୁ ଦାୟିତ୍ବ ଦେଇଛନ୍ତି । ସେମାନେ ଓଡ଼ିଶା ଆସି ମତାମତ ନେବା ପରେ ପିସିସି ସଭାପତିଙ୍କ ନାଁ ଘୋଷଣା କରାଯିବ ।

ଅନ୍ୟପଟେ ଓଡ଼ିଶାର ପରବର୍ତ୍ତୀ ପିସିସି ସଭାପତି କିଏ ହେବା ତାହାକୁ ନେଇ ଦଳ ଭିତରେ ଚର୍ଚ୍ଚା ଆରମ୍ଭ ହୋଇଛି । ନୂଆ ନା ପୁରୁଣା ଚେହେରା ଦଳର ମଙ୍ଗ ଧରିବେ ସେନେଇ କଂଗ୍ରେସ ନେତାମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ପିସିସି ରେସରେ ପୁରୁଣା ଚେହେରା ଭାବେ ଶ୍ରୀକାନ୍ତ ଜେନା, ଜୟଦେବ ଜେନା, ଶରତ ରାଉତଙ୍କ ନାଁ ଥିବାବେଳେ ନୂଆ ଚେହେରା ଭାବେ ମହମ୍ମଦ ମୋକିମ, ବିଶ୍ବ ରଂଜନ ମହାନ୍ତି, ସପ୍ତଗିରୀ ଉଲାକାଙ୍କ ନାଁ ଆସୁଛି । ଏମାନଙ୍କ ମଧ୍ୟରୁ କେଉଁ ନେତାଙ୍କୁ ଅଧିକ ସମର୍ଥନ ରହିଛି, ତାହା ବୈଠକ ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ।

ପିସିସି ସଭାପତି ଚୌକିକୁ ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ସବୁବେଳେ ଟଣାଓଟରା ଚାଲିଥାଏ । ୨୦୨୪ ନିର୍ବାଚନ ଫଳାଫଳ ପରେ ଶହେ ଦିନରୁ ଅଧିକ ସମୟ ଧରି ପିସିସି ସଭାପତି ଚେୟାର ଖାଲି ପଡ଼ିବା ଦଳର ସଂଗଠନକୁ ଦୁର୍ବଳ କରିଛି । ଏପରି ସ୍ଥିତିରେ ଓଡ଼ିଶା କଂଗ୍ରେସର ମଙ୍ଗ ହାଇକମାଣ୍ଡ କାହା ହାତରେ ଦେଉଛନ୍ତି ତାହା ଉପରେ ନଜର ।