ଦୁର୍ଗାପୂଜା: ପୀଠରେ ନବମୀ, ମଣ୍ଡପରେ ଅଷ୍ଟମୀ, ସବୁଠି ଉତ୍ସବର ମାହୋଲ

ଭୁବନେଶ୍ବର: ଆସିଛି ପାର୍ବଣ । ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । ମା’ଙ୍କ ଆଗମନରେ ଗାଁରୁ ସହର ଉତ୍ସବମୁଖର । ପୀଠରେ ମା’ଙ୍କର ଆଜି ନବମୀ ପୂଜା ହେଉଥିବା ବେଳେ ମଣ୍ଡପରେ ମହାଷ୍ଟମୀ ପୂଜା । ରାଜଧାନୀ ଭୁବନେଶ୍ବର, ସିଲଭର ସିଟି କଟକ, ଷ୍ଟିଲ ସିଟି ରାଉରକେଲା, ସିଲକ୍ ସିଟି ବ୍ରହ୍ମପୁର, ସମ୍ବଲପୁର, ଯାଜପୁର ସମେତ ସାରା ରାଜ୍ୟରେ ପାର୍ବଣର ମାହୋଲ ।

ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି ସୁଉଚ୍ଚ ତୋରଣ । ମନ ମୋହୁଛି ସାଜସଜ୍ଜା । ଦୁଇବର୍ଷ ପରେ ମଣ୍ଡପରେ ଲାଗିଛି ଭକ୍ତଙ୍କ ଗହଳି । ମଣ୍ଡପରେ ମା’ଙ୍କ ମହାଷ୍ଟମୀ ପୂଜା ଚାଲିଛି । ସେପଟେ ଆଜି ପୀଠରେ ଚାଲିଛି ମା’ଙ୍କ ମହା ନବମୀ ପୂଜା । ଘଣ୍ଟଘଣ୍ଟା ଓ ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ । ଭକ୍ତି ଭାବରେ ଦର୍ଶନ କରୁଛନ୍ତି ଭକ୍ତ । ନବରାତ୍ରଠାରୁ ମା’ଙ୍କ ବିଭିନ୍ନ ବେଶ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି ଶ୍ରଦ୍ଧାଳୁ । ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ଭଟ୍ଟାରିକାଙ୍କ ପୀଠରେ ବି ଚାଲିଛି ମାଆଙ୍କ ସ୍ବତନ୍ତ୍ର ନୀତିକାନ୍ତି । ଝଙ୍କଡ଼ବାସିନୀ ମା’ ଶାରଳାଙ୍କ ପୀଠରେ ବି ପାଳିତ ହୋଇଛି ନବମୀ ପୂଜା  ।