spot_img

Latest Posts

ସେଲିବ୍ରେସନ କର କିନ୍ତୁ କ୍ରାଇମ କରନି: ନିଉ ଇୟର ପୂର୍ବରୁ ଆକ୍ସନ ମୋଡରେ ଅବକାରୀ ବିଭାଗ

ସେଲିବ୍ରେସନ କର କିନ୍ତୁ କ୍ରାଇମ କରନି । ମତୁଆଲା ହୁଅ କିନ୍ତୁ ନିୟମ ଭାଙ୍ଗନି । ନିଉ ଇୟର ପୂର୍ବରୁ ଆକ୍ସନ ମୋଡରେ ଅବକାରୀ ବିଭାଗ । ବାର, ପବ, ହୋଟେଲରେ ସରପ୍ରାଇଜ ଚେକିଂ । ଧୁମଧାମରେ କଟିବ ବଡ଼ଦିନ ଓ ନୂଆବର୍ଷ । ଜିରୋ ନାଇଟ ସେଲିବ୍ରେସନ ପାଇଁ ମାସକ ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ୨୦୨୪କୁ ସ୍ୱାଗତ ପାଇଁ ହୋଟେଲ, ପବ, ଡ୍ୟାନ୍ସ ବାର ପ୍ରସ୍ତୁତ ହୋଇରହିଥିବା ବେଳେ ସେମାନଙ୍କ ଉପରେ ଆଖି ରଖିଛି ଅବକାରୀ ବିଭାଗ । ୧୨ ଟା ରାତି ପର୍ଯ୍ୟନ୍ତ କ୍ଲବ, ପବ ଚଳାଇବା ପାଇଁ ଏବେ ନିୟମ ରହିଛି । ଆବେଦନ ମୁତାବକ ଏହାକୁ ଦେଢ଼ ଘଣ୍ଟା ବଢ଼ାଯିବ । ୩୧ ତାରିଖ ରାତିରେ ଜିରୋ ନାଇଟ ସେଲିବ୍ରେସନ ନେଇ କୌଣସି ଇଭେଣ୍ଟ ବା ପ୍ରାଇଭେଟ ସଂସ୍ଥାକୁ ଆଇନଶୃଙ୍ଖଳା ଦୃଷ୍ଟିରୁ ଅନୁମତି ମିଳିନାହିଁ । ଖିଲାପକାରୀଙ୍କୁ ଜଗିବା ପାଇଁ ଏକାଧିକ ଫ୍ଲାଇଁ ସ୍କ୍ବାଡ ଗଠନ ହୋଇଥିବା କହିଛନ୍ତି ଅବକାରୀ ସୁପରିଟେଣ୍ଡେଣ୍ଟ ।

ସହିଦନଗର ଅଞ୍ଚଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲାଥିବା ଡ୍ୟାନ୍ସ ପବ ଉପରେ ଚଢ଼ାଉ କରିଥିଲା କମିଶନରେଟ ପୋଲିସ । ଡିଜେ ସିଜ୍ ସହ ସାମୟିକ ଭାବେ ପବକୁ ବନ୍ଦ କରାଯାଇଥିଲା । ସେହିପରି କିଛିଦିନ ତଳେ କଳିଙ୍ଗବିହାର ଅଞ୍ଚଳରେ ଏକ ରେଷ୍ଟୁରାଣ୍ଟରେ ମଦ ବେପାର ଚାଲୁଥିବା ବେଳେ ଚଢ଼ାଉ କରିଥିଲା ଅବକାରୀ ବିଭାଗ । ଅବକାରୀ କମିଶନରଙ୍କ ନିର୍ଦ୍ଦେଶକ୍ରମେ ସ୍ପେସାଲ ଡ୍ରାଇଭ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ଏହା ବଳବତ୍ତର ରହିବ । ସେହିପରି କେବଳ ମଦ ନୁହେଁ, ବରଂ ବ୍ରାଉନସୁଗର, କୋକେନ୍, କଫ ସିରପ ମାଫିଆଙ୍କ ମଧ୍ୟ ଅବକାରୀ ବିଭାଗର କଡ଼ା ନଜର ଥିବା କହିଛନ୍ତି ସୁପରିନଟେଣ୍ଡେଣ୍ଟ । ନୂତନ ବର୍ଷ ସଭିଙ୍କ ପାଇଁ ସୁଖ ଶାନ୍ତି ଆଣୁ । କିନ୍ତୁ ସେଲିବ୍ରେସନ ଆଳରେ କେହି ଆଇନକୁ ହାତକୁ ନିଅନ୍ତୁ ନାହିଁ କିମ୍ବା କୌଣସି ଅଘଟଣ ନଘଟୁ ବୋଲି ଆଶା ରଖିଛି ଅବକାରୀ ବିଭାଗ ।

Latest Posts

Don't Miss