spot_img

Latest Posts

ନିଶା ନିବାରଣ ଅଭିଯାନ କରିବ ଅବକାରୀ ବିଭାଗ

ଭୁବନେଶ୍ବର  : ନିଶା ନିବାରଣ ଅଭିଯାନ କରିବ ଅବକାରୀ ବିଭାଗ | ଆସନ୍ତା ମେ ୩୧ ରୁ ଜୁନ ୨୬ ଯାଏଁ  ରାଜ୍ୟବ୍ୟାପୀ ଚାଲିବ ନିଶା ନିବାରଣ କାର୍ଯ୍ୟକ୍ରମ। ବର୍ଷକୁ ୩ ଥର ଚାଲିବ ଏହି ଅଭିଯାନ। ମେ ୩୧ ରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ପ୍ରତି ଗାଁରେ ଦାସକାଠିଆ, ଘୋଡା ନାଚ, ଲୋକ କଳା ମାଧ୍ୟମରେ ଲୋକଙ୍କ ପାଖରେ ନିଶା ନିବାରଣର ବାର୍ତ୍ତା ପହଞ୍ଚାଇବ ଅବକାରୀ ବିଭାଗ। ନିଶାର  ଅପକାରିତା ଓ ଖରାପ ପ୍ରଭାବ ନେଇ ଲୋକଙ୍କୁ ସଚେତନ କରାଯିବ। ଅବକାରୀ ବିଭାଗ ସହ ପୋଲିସ, STF, ମିଶନ ଶକ୍ତି, ଉଚ୍ଚ ଶିକ୍ଷା, ଗଣ ଶିକ୍ଷା ଓ ସଂସ୍କୃତି ବିଭାଗ ମିଳିତ ଭାବେ ମାସେ ଧରି ଏହି କ୍ୟାମ୍ପେନ କରିବେ। ମଦ ଓ ଡ୍ରଗ୍ସ ବିରୁଦ୍ଧରେ ମଧ୍ୟ କ୍ୟାମ୍ପେନ ଚାଲିବ। ସ୍କୁଲ, କଲେଜ ରେ ରଚନା, ବକ୍ତୃତା, ଚିତ୍ରାଙ୍କନ ପ୍ରତିଯୋଗିତା କରାଯିବ। ନିଶା ନିବାରଣ ପାଇଁ ଅବକାରୀ ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି।

ପ୍ରତି ବର୍ଷ ଅବକାରୀ ରାଜସ୍ବ ବଢି ବଢି ଚାଲିଛି। ମଦ ଦୋକାନୀଙ୍କ ପାଇଁ ବିଭାଗ ସର୍ବନିମ୍ନ କୋଟା ମଧ୍ୟ ଫିକ୍ସ କରିଛି। ଟାର୍ଗେଟରୁ କମ୍ କିଣିଲେ ଦେବାକୁ ପଡୁଛି ଜୋରିମାନା । ମଦ ରାଜସ୍ବ ବଢାଇବାରୁ ଦାୟିତ୍ବ ନେଇଥିବା ଅବକାରୀ ବିଭାଗ ନିଶା ନିବାରଣ କଥା କହିବା, ସହଜରେ ହଜମ ହେଉନାହିଁ। ଏହାକୁ ହାସ୍ୟାସ୍ପଦ ବୋଲି ମଦ ବିରୋଧୀ ଅଭିଯାନ କହିଛି। ବିରୋଧୀ ଦଳ ମଦ ମୁକ୍ତିକୁ ସମର୍ଥନ କରିଥିବା ବେଳେ ଅବକାରୀ ବିଭାଗର ଏପରି ଅଭିଯାନ ଲୋକ ଦେଖାଣିଆ ବୋଲି କହିଛନ୍ତି। ବର୍ଷକୁ ଅବକାରୀ ବିଭାଗର ରାଜସ୍ବ  ୧୦ ହଜାର କୋଟି ଟପିଲାଣି । ପ୍ରତି ବର୍ଷ ଏହା ବଢାଇବା ଉପରେ ବି ଗୁରୁତ୍ବ ଦେଉଛି ବିଭାଗ। ଗୋଟ ପଟେ ଅଧିକ ମଦ ବିକ୍ରି ପାଇଁ ଉଦ୍ୟମ, ଅନ୍ୟ ପଟେ ନିଶା ନିବାରଣ ଅଭିଯାନ ପାଇଁ କାର୍ଯ୍ୟକ୍ରମ। ଏପରି ବିରୋଧାଭାସ ସବୁ ମହଲରେ ଭୃକୁଞ୍ଚନ ସୃଷ୍ଟି କରିଛି।

Latest Posts

Don't Miss