ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ତଥା ସ୍ୱତନ୍ତ୍ର ଷ୍ଟାର୍ଟଅପ୍‌ ନୀତି ସମ୍ବନ୍ଧରେ ଆଲୋଚନା

ଭୁବନେଶ୍ୱର: ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଗବେଷଣାଜନିତ ଉପଲବ୍ଧ ଜ୍ଞାନକୁ କିଭଳି ବଜାର ଉପଯୋଗୀ କରାଯାଇପାରିବ, ସେ ବିଷୟରେ ଆଲୋଚନା କରିବା ପାଇଁ ଆଜି ଲୋକସେବା ଭବନସ୍ଥିତ କନଭେନ୍ସନ ସେଣ୍ଟରରେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ଗବେଷକମାନେ ଅତି ଉଚ୍ଚକୋଟୀର ଗବେଷଣା ପ୍ରବନ୍ଧ ପ୍ରସ୍ତୁତ କରିଆସୁଛନ୍ତି । କିନ୍ତୁ ଏହି ଜ୍ଞାନର ବ୍ୟବହାରିକତା ନିମନ୍ତେ ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତି ଗୁରୁତ୍ୱପୂର୍ଣ୍ଣ । ଏହା ମଧ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଗବେଷଣାକୁ ତ୍ୱରାନ୍ୱିତ କରିବା ସହ ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବାରେ ସହାୟକ ହେବ ।

ଏଥି ପାଇଁ ଶିକ୍ଷାନୁଷ୍ଠାନମାନଙ୍କରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ । କେଉଁ କେଉଁ ସୋପାନ ଦେଇ ଗଲେ ସେମାନେ ଇନ୍‌କୁ୍ୟବେସନ୍‌ ସେଣ୍ଟରର ସହାୟତାରେ ସେମାନଙ୍କର ଉପଲବ୍ଧ ଜ୍ଞାନକୌଶଳ ପ୍ରୟୋଗ କରି ଏହାକୁ ବଜାର ଉପଯୋଗୀ କରିପାରିବେ, ସେଥିପାଇଁ ଅଧ୍ୟାପନା ମଣ୍ଡଳୀ, ଗବେଷକ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାରଙ୍କ ତରଫରୁ ଏକ ଚିଠା ‘ଷ୍ଟାର୍ଟଅପ୍‌ ପଲିସି’ ପ୍ରସ୍ତୁତ କରାଯିବା ଉପରେ ମଧ୍ୟ ବିଷଦ ଆଲୋଚନା ହୋଇଥିଲା । ଷ୍ଟାର୍ଟଅପ୍‌ ଓଡ଼ିଶାର ଅଧ୍ୟକ୍ଷ ଡ. ଓମ୍‌କାର ରାଏ ଏବଂ ଫ୍ରଷ୍ଟ ଓ ସୁଲିଭାନ୍‌ର ଏକ୍‌ଜିକୁଟିଭ୍‌ ବୋର୍ଡ ସଦସ୍ୟ ଡ. ସୁଧାଂଶୁ ଦାଶ ଏ ଦିଗରେ ରାଜ୍ୟ ସରକାରଙ୍କୁ ସାହାଯ୍ୟ ଯୋଗାଇଦେବା ପାଇଁ ଏବଂ ପରବର୍ତ୍ତୀ ଆଲୋଚନା ଜାରି ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଏହି ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଓ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ଉପସ୍ଥିତ ରହି ଓଡ଼ିଶାରେ ଉଚ୍ଚଶିକ୍ଷାରେ ଗବେଷଣାର ସ୍ଥିତି ଓ ପ୍ରଗତି ଉପରେ ଆଲୋଚନା କରିଥିଲେ । ଏଥିରେ ସ୍ଥାନୀୟ ବିଶ୍ୱବିଦ୍ୟାଳୟମାନଙ୍କର କୁଳପତି ଏବଂ ଉଚ୍ଚଶିକ୍ଷା ବିଭାଗ ଓ ପରିଷଦର ଅନ୍ୟ ସଦସ୍ୟବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ମଧ୍ୟ ଭାଗ ନେଇଥିଲେ । ଶେଷରେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ବୀରେନ୍ଦ୍ର କୋରକୋରା ଧନ୍ୟବାଦ ଅର୍ପଣ କରିଥିଲେ ।