ଏମାରରୁ ମିଳିଲାନି ଗୁପ୍ତଧନ

ପୁରୀ: ପୁରୀ ଏମାର ମଠରୁ ମିଳିଲଶନି ଗୁପ୍ତଧନ । ଖନନ ପରେ କିଛି ମିଳିନି । ପୁରୀର ପୁରାତନ ଓ ବିତ୍ତଶାଳୀ ଏମାରମଠରେ ଅନେକ ଗୁପ୍ତଧନ ଥିବା ନେଇ ସନ୍ଦେହକୁ ଦୂରୀଭୂତ କରିବାକୁ ଯାଇ ମଠ ପରିସରରେ ପୂର୍ବରୁ ଚିହ୍ନଟ ହୋଇଥିବା ତିନୋଟି ସ୍ଥାନରେ ଆଜି ଖନନ କରାଯାଇଥିବା ବେଳେ ସେଭଳି କୌଣସି ଧନ ନଥିବା ସ୍ପଷ୍ଟ ହୋଇଛି | ଦେବୋତ୍ତର ବିଭାଗ, ପ୍ରଶାସନିକ ଅଧିକାରୀ, ପୋଲିସ ଓ ଟ୍ରଷ୍ଟ ବୋର୍ଡ଼ ସଦସ୍ୟଙ୍କ ଉପସ୍ଥିତିରେ ମେଟାଲ ଡିଟେକ୍ଟର ଦ୍ବାରା ପୁଣି ଯାଞ୍ଚ କରାଯାଇ ଚଟାଣକୁ ଖୋଳାଯାଇ କେବଳ ଲୌହ ଜାତ ଧାତବ ପଦାର୍ଥ ମିଳିଥିବାରୁ ଯାଞ୍ଚ ପ୍ରକ୍ରିୟାକୁ ବନ୍ଦ କରାଯାଇଥିଲା ।

ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିବା ଏହି ବହୁ ପୁରାତନ ମଠର ପୁନଃରୁଦ୍ଧାର କରାଯିବା ସହ ଏହାର ପୂର୍ବ ଗାରିମା ଫେରାଇବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରିବ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି |

୨୦୧୧ ମସିହାରେ ମଠରୁ ୫୨୨ ଓ ପରବର୍ତ୍ତୀ ସମୟରେ ଏପ୍ରିଲ ୨୦୨୧ରେ ମଠ ପରିସରରୁ ୪୫ଖଣ୍ଡ ରୂପା ଇଟା ମିଳିଥିଲା । ଏହାପରେ ମଠରେ ଆହୁରି ବହୁ ଗୁପ୍ତଧନ ରହିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଏନେଇ ନୂତନ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଗତ ୧୬ ସେପ୍ଟେମ୍ବର ୨୦୨୧ରେ ମେଟାଲ  ଡିଟେକ୍ଟର ସାହାଯ୍ୟରେ ବିଭିନ୍ନ ସ୍ଥାନକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିବା ବେଳେ ତିନୋଟି ସ୍ଥାନରେ ଗୁପ୍ତଧନ ଥିବା ନେଇ ସନ୍ଦେହ ସୃଷ୍ଟି ହେବାରୁ ଚିହ୍ନଟ କରାଯାଇଥିଲା । ଚିହ୍ନଟ ହୋଇଥିବା ସେହି ସ୍ଥାନକୁ ଆଜି ଟ୍ରଷ୍ଟ ବୋର୍ଡ ସଦସ୍ୟ, ପ୍ରଶାସନିକ ଅଧିକାରୀ ଓ ପୋଲିସଙ୍କ ଉପସ୍ଥିତିରେ ଖନନ କରାଯାଇଥିବା ବେଳେ ସେଭଳି କୌଣସି ମୂଲ୍ୟବାନ ସାମଗ୍ରୀ ମିଳିନଥିବା ଜଣାପଡିଛି |

Leave a Reply