କବୟତ୍ରୀ ମଧୁମିତା ଶୁକ୍ଲା ହତ୍ୟା ମାମଲା, ଜେଲରୁ ମୁକୁଳିବେ ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଅମରମଣି ଓ ପତ୍ନୀ

ଲକ୍ଷ୍ନୌ: ବହୁଚର୍ଚ୍ଚିତ କବୟତ୍ରୀ ମଧୁମିତା ଶୁକ୍ଲା ହତ୍ୟା ମାମଲା । ଜେଲରୁ ମୁକୁଳିବେ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ଗ୍ୟାଙ୍ଗଷ୍ଟରରୁ ରାଜନେତା ସାଜିଥିବା ଅମରମଣି ତ୍ରିପାଠୀ । ୨୦୦୩ରେ ଘଟିଥିବା ଏହି ହତ୍ୟାକାଣ୍ଡକୁ ନେଇ ସାରା ଉତ୍ତରପ୍ରଦେଶରେ ଚାଲିଥିଲା ଜୋରଦାର ଚର୍ଚ୍ଚା । ଅମରମଣିଙ୍କ ସହ ତାଙ୍କ ପତ୍ନୀ ବି ଜେଲରୁ ମୁକୁଳିବେ । ୨୦୦୭ରେ ତାଙ୍କୁ ଆଜୀବନ ସଜା ମିଳିଥିବାବେଳେ ଜେଲରେ ଉତ୍ତମ ବ୍ୟବହାର ଓ ଚାଲିଚଳଣୀକୁ ନେଇ ତାଙ୍କୁ ଜେଲରୁ ମୁକ୍ତ କରାଯିବ । ତତକାଳୀନ ମାୟାବତୀ ସରକାର ଅମଳରେ ମନ୍ତ୍ରୀ ଥିବା ଅମରମଣି ପ୍ରଥମେ ମଧୁମିତା ଶୁକ୍ଲା ହତ୍ୟାରେ ସମ୍ପୃକ୍ତ ନାହାନ୍ତି ବୋଲି କହିଥିଲେ । ମାତ୍ର ମଧୁମିତାଙ୍କ ଗର୍ଭସ୍ଥ ସନ୍ତାନ ଅମରମଣିଙ୍କ ଔରସରୁ ସୃଷ୍ଟି ହୋଇଛି ବୋଲି ଡିଏନଏ ପ୍ରମାଣ ମିଳିବା ପରେ ଅମରମଣିଙ୍କ ସମସ୍ତ ଖେଳ ଶେଷ ହୋଇଥିଲା ।

ବିଗତ ୨୦୦୩ରେ ଉତ୍ତରପ୍ରଦେଶର କବୟତ୍ରୀ ମଧୁମିତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଲକ୍ଷ୍ନୌର ନିସାତଗଞ୍ଜ ଅଞ୍ଚଳସ୍ଥିତ ଘରୁ ମଧୁମିତାଙ୍କ ମୃତଦେହ ଠାବ କରାଯାଇଥିଲା । ୨୪ ବର୍ଷ ବୟସ୍କା ମଧୁମିତା ଅମରମଣିଙ୍କ ଜଣେ ପ୍ରେମିକା ଥିବା ଚର୍ଚ୍ଚା ଚାଲିଥିଲା । ଚାରିଥରର ବିଧାୟକ ଅମରମଣି ଜଣେ ପ୍ରଭାବଶାଳୀ ନେତା ଥିବାରୁ ଏହି ମାମଲାର ବିଚାର ଲକ୍ଷ୍ମୌରୁ ଡେରାଡୁନକୁ ସ୍ଥାନାନ୍ତର କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାର ବିଚାର ଲାଗି ତତକାଳୀନ ମୁଖ୍ୟମନ୍ତ୍ରୀ ମାୟାବତୀ ଅପରାଧ ତଦନ୍ତକାରୀ ବିଭାଗକୁ ଦେଇଥଇଲେ ବି ପରେ ଏହା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ସେପ୍ଟେମ୍ବର ୨୦୦୩ରେ ସିବିଆଇ ଅମରମଣିଙ୍କୁ ଗିରଫ କରିଥିଲା । ପରେ ଏହି ମାମଲାରେ ଅମରମଣି, ପତ୍ନୀ ମଧୁମଣି, ଅନ୍ୟ ଦୁଇ ଅଭିଯୁକ୍ତ ରୋହିତ ଚତୁର୍ବେଦୀ ଓ ସନ୍ତୋଷ କୁମାର ରାୟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ସମସ୍ତଙ୍କୁ ଆଜୀବନ ସଜା ଲାଗି ନିର୍ଦ୍ଦେଶ ଦେଇଥିଲେ ଡେରାଡୁନ କୋର୍ଟ । ତେବେ ସେମାନଙ୍କୁ ମୁକୁଳାଇବା ଲାଗି ନିଷ୍ପତ୍ତି ନେଇଛନ୍ତି ଉତ୍ତରପ୍ରଦେଶ ସରକାର । ସେ ପ୍ରଥମେ କଂଗ୍ରେସ ପରେ ବିଏସପି ଓ ଶେଷରେ ବିଜେପିରେ ଥିଲେ ।