ପୂର୍ବତନ ବାଚସ୍ପତି ଶରତ କରଙ୍କ ବିୟୋଗ, ରାଜନୈତିକ ମହଲରେ ଗଭୀର ଶୋକ

ଭୁବନେଶ୍ୱର:  ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବର୍ଷିୟାନ ରାଜନେତା ଶରତ କର ସୋମବାର ପ୍ରାଣ ତ୍ୟାଗ କରିଛନ୍ତି । ଶରତଙ୍କ ମୃତ୍ୟୁ ନେଇ ତାଙ୍କ ପୁଅ ସୁମନ୍ କର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଦୀର୍ଘଦିନ ଧରି ଅସୁସ୍ଥ ଥିବା ଶରତ କର ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ୨୦୦୦ରୁ ୨୦୦୪ ମସିହା ମଧ୍ୟରେ ବିଧାନସଭା ବାଚସ୍ପତି ଭାବେ ସେ ଦାୟିତ୍ୱ ନିର୍ବାହ କରିଥିଲେ । ଏହା ପୂର୍ବରୁ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ ।

1971 ମସିହାରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଉତ୍କଳ କଂଗ୍ରେସ ପକ୍ଷରୁ ମାହାଙ୍ଗାରୁ ପ୍ରାର୍ଥୀ ହୋଇ ବିଧାୟକ ହୋଇଥିଲେ । ଜଣେ ସୁବକ୍ତା, ସମ୍ବିଧାନ ବିଶେଷଜ୍ଞ ଭାବେ ତାଙ୍କର ଖ୍ୟାତି ରହିଥିଲା । ରାଜନୈତିକ ମହଲର ସମସ୍ତ ଦଳରେ ତାଙ୍କୁ ଆଦର କରାଯାଇଥାଏ ।

୧୯୯୦ରେ ଜନତା ଦଳରୁ ସେ ଜିତି ଥିଲେ । ଏହା ପରେ ୨୦୦୦ ମସିହାରେ ମଧ୍ୟ ସେ ମାହାଙ୍ଗାରୁ ବିଜୁ ଜନତା ଦଳ ଟିକେଟରୁ ଲଢି ବିଜୟୀ ହୋଇଥିଲେ । ୨୦୦୪ ନିର୍ବାଚନରେ ସେ ବିଜେଡି ତ୍ୟାଗ କରି କଂଗ୍ରେସର ପ୍ରାର୍ଥୀ ହୋଇଥିଲେ । ସେ ସମୟରେ ଅନ୍ୟତମ ବୃହତ ନିର୍ବାଚନମଣ୍ଡଳୀ ଭୁବନେଶ୍ୱରରୁ ଲଢି ପରାଜିତ ହୋଇଥିଲେ ।

ପ୍ରଥମ ଥର ପାଇଁ ବିଧାୟକ ହେବା ସହ ୧୯୭୧ ବିଧାନସଭାର ବିଶ୍ୱନାଥ ଦାଶଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ । 1977 ସେ କଟକ ଲୋକ ସଭା ଆସନରୁ ବିଜୟୀ ହୋଇ ପାର୍ଲାମେଣ୍ଟ ଯାଇଥିଲେ । ସେ ସମୟରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ହରାଇଥିବାରୁ ଶରତ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ହୋଇଯାଇଥିଲେ ।  ତାଙ୍କ ବିୟୋଗରେ ରାଜ୍ୟର ରାଜନୈତିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । କୌଣସି ମନ୍ତ୍ରିମଣ୍ଡଳରେ ସର୍ବକନିଷ୍ଠ ଭାବେ କ୍ୟାବିନେଟ ସଦସ୍ୟ ହେବାର ରେକର୍ଡ ଶରତ କରଙ୍କ ନାଁରେ ରହିଥିବା କୁହାଯାଉଛି ।

୧୯୩୯ ମସିହା ସେପ୍ଟେମ୍ବର ୫ ତାରିଖରେ କଟକ ଜିଲ୍ଲାର ଚାଇଁପାଳର ଅଡମ ମହେଶପୂର ଗାଁରେ ଜନ୍ମ ଗ୍ରହଣ କରିଥିଲେ । ୧୯୬୪ ମସିହାରେ ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି ରାଜନୀତିରେ ପାଦ ଥାପିଥିଲେ । ଶରତ ଅନେକ ପୁସ୍ତକ ରଚନା କରିଛନ୍ତି, ସେଥି ମଧ୍ୟରୁ ଦ୍ରୁତ ବିଳମ୍ବିତ, ମନ୍ଥନ, ରୋମାନ୍ଥନ ପାଠକୀୟ ଆଦୃତ ଲାଭ କରିଥିଲା ।

ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ  ସ୍ୱର୍ଗତ କରଙ୍କୁ ଜଣେ ପ୍ରତିଭାବାନ ରାଜନେତା ଏବଂ ଦକ୍ଷ ପ୍ରଶାସକ ଭାବରେ ବର୍ଣ୍ଣନା କରିଛନ୍ତି। ଓଡିଶା ବିଧାନସଭାର ବାଚସ୍ପତି ଭାବରେ ସେ ଦକ୍ଷତାର ସହ ଗୃହ ପରିଚାଳନା କରି ଏକ ଉତ୍ତମ ସଂସଦୀୟ ପରମ୍ପରା ପ୍ରତିଷ୍ଠା କରିଥିଲେ।

ଓଡିଶା ସରକାରରେ ମନ୍ତ୍ରୀ ଭାବରେ ସେ ବିଭିନ୍ନ ସମୟରେ ତାଙ୍କର ନେତୃତ୍ୱ ଓ ପ୍ରଶାସନିକ ଅଭିଜ୍ଞତାର ପରାକାଷ୍ଠା ରଖିଯାଇଛନ୍ତି। ଜଣେ ସୁଲେଖକ, ସୁବକ୍ତା ଭାବରେ ସ୍ବର୍ଗତ କର ସମସ୍ତଙ୍କର ଆଦରଣୀୟ ଥିଲେ । ଓଡିଆ ସଂସ୍କୃତି ସଂପର୍କରେ ତାଙ୍କର ଗଭୀର ଜ୍ଞାନ ଥିଲା । ତାଙ୍କ ବିୟୋଗରେ ରାଜ୍ୟ ଜଣେ ବିଶିଷ୍ଟ ରାଜନୈତିଜ୍ଞଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି।

ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ସେହିପରି ଶରତ କରଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ରାଜ୍ୟ ସରକାରଙ୍କ ମନ୍ତ୍ରୀ ପ୍ରତାପ ଜେନା, ରାଜା ସ୍ୱାଇଁ, ଜଗନ୍ନାଥ ସାରକା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

 

Leave a Reply