ପୂର୍ବତନ ସମାଜବାଦୀ ପାର୍ଟି ନେତା ଅମର ସିଂଙ୍କ ନିଧନ

ନୂଆଦିଲ୍ଲୀ: ପୂର୍ବତନ ସମାଜବାଦୀ ପାର୍ଟି ନେତା ତଥା ରାଜ୍ୟସଭା ସଦସ୍ୟ ଅମର ସିଂଙ୍କର ଶନିବାର ଦିପହରରେ ସିଙ୍ଗାପୁରର ଏକ ହସ୍ପିଟାଲରେ ନିଧନ ହୋଇଯାଇଛି । ଗତ କିଛିଦିନ ଧରି ସେ ରୋଗଗ୍ରସ୍ତ ଥିଲେ । ଦୁବାଇର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅମର ସିଂଙ୍କର କିଡନୀ ଜନିତ ସମସ୍ୟା ଥିଲା । କିଛି ବର୍ଷ ତଳେ ସିଂଗାପୁରର ଏକ ହସ୍ପିଟାଲରେ ତାଙ୍କର କିଡନୀ ପ୍ରତ୍ୟାରୋପଣ ହୋଇଥିଲା । ୨୦୧୩ ମସିହାରେ ତାଙ୍କର କିଡନୀ ଖରାପ ହୋଇଯାଇଥିଲା ।  ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା । ୧୯୫୬ ମସିହାରେ ଅମର ଜନ୍ମଗ୍ରହଣ କରିଥିଲେ ।

amar singh

ଶିଳ୍ପପତି ତଥା ଅମର ସିଂ ମୁଲାୟମ ସିଂ ଯାଦବଙ୍କ ଜରିଆରେ ରାଜନୀତିକୁ ପ୍ରବେଶ କରିଥିଲେ । ମୁଲାୟମଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ସେ ଉତ୍ତର ପ୍ରଦେଶ ରାଜନୀତିର ନମ୍ବର ଦୁଇ ଥିଲେ । ୧୯୯୬ ମସିହାରେ ସେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ପ୍ରବେଶ କରିଥିଲେ । ତାଙ୍କ ଜରିଆରେ ଅମିତାଭ ବଚ୍ଚନ,ଜୟା ବଚ୍ଚନ,ଜୟାପ୍ରଦାଙ୍କ ଭଳି ବଲିଉଡ୍ ସେଲିବ୍ରିଟି ସମାଜବାଦୀ ପାର୍ଟିରେ ସାମିଲ ହୋଇଥିଲେ । ତେଣୁ ତାଙ୍କ ବିରୋଧରେ ସମାଜବାଦୀ ପାଟିକୁ ସେଲିବ୍ରିଟି ପାର୍ଟିରେ ପରିଣତ କରିବାର ଅଭିଯୋଗ ମଧ୍ୟ ଆସେ । ତେବେ ମୁଲାୟମଙ୍କ ପରେ ପୁଅ ଅଖିଳେଶଙ୍କ ହାତକୁ କ୍ଷମତା ଯିବା ପରେ ଅମର ଅଲୋଡା ହୋଇଯାଇଥିଲେ । ଅମରଙ୍କୁ ଦଳରୁ ବାହାରିବାକୁ ପଡିଥିଲା । ଏହାସହ ଅମିତାଭଙ୍କ ସହ ତାଙ୍କର ସଂପର୍କକୁ ନେଇ ମଧ୍ୟ ସେ ବେସ ଚର୍ଚ୍ଚାରେ ରହିଥିଲେ । ସମାଜବାଦୀ ପାର୍ଟିରୁ ବିଦା ହେବା ପରେ ଅମର ଅମିତାଭ ଓ ଜୟାଙ୍କୁ ସ୍ୱାର୍ଥପର ବୋଲି କହିଥିଲେ । ତେବେ ଚଳିତ ବର୍ଷ ଫେବ୍ରୁଆରି ମାସରେ ସେ ଏଥିପାଇଁ ଅମିତାଭ ଓ ଜୟାଙ୍କୁ କ୍ଷମା ମାଗିଥିଲେ । ସମାଜବାଦୀ ପାର୍ଟିରୁ ବାହାରିବା  ପରେ ଅମର ବିଜେପିର ନିକଟତର ହୋଇଥିଲେ ।

ଆଜି ସେ ସ୍ୱତନ୍ତ୍ରତା ସଂଗ୍ରାମୀ ବାଲ ଗଙ୍ଗାଧର ତିଲକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ନିଜର ସମସ୍ତ ଫଲୋର୍ସଙ୍କୁ ଇଦର ଶୁଭକାମନା ଜଣାଇଥିଲେ । ଅମର ସିଂଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ ଦେଖିଲେ ଲାଗୁଛି ଯେ,ସେ ରୁଗଣ ଥିବା ସତ୍ୱେ ସୋସିଆଲ ମିଡିଆରେ ସକ୍ରିୟ ଥିଲେ । ହସ୍ପିଟାଲ ବେଡରୁ ସେ ମାର୍ଚ୍ଚ ୨୨ ତାରିଖ ଦିନ ଏକ ଛୋଟ ଭିଡିଓ ଟ୍ୱିଟ୍ କରିଥିଲେ ।  ଯେଉଁଥିରେ ସେ କରୋନା ଭାଇରସ ବିରୋଧ ଲଢେଇରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସହଯୋଗ କରିବା ପାଇଁ ଅପିଲ କରିଥିଲେ । ସେହିଭଳି ମାର୍ଚ୍ଚ ୨ ତାରିଖ ଦିନ ନିଜ ମୃତ୍ୟୁ ଖବରକୁ ଖଣ୍ଡନ କରି ସେ ଏକ ଭିଡିଓ ଜାରି କରିଥିଲେ । ଯେଉଁଥିରେ ସେ କହିଥିଲେ ଯେ,‘ଟାଇଗର ଅଭି ଜିନ୍ଦା ହୈ’

ଅମରଙ୍କ ମୃତ୍ୟୁରେ ଉପରାଷ୍ଟ୍ରପତିଙ୍କ ସମେତ ଅନେକ ରାଜନେତା ଶୋକବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍ କରି ଅମରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

Leave a Reply