ଗୁଳିମାଡ଼ରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଆହତ

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ଼ । ଓ୍ୱେଷ୍ଟର୍ଣ୍ଣ ଜାପାନର ନାରା ସହରରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ଆବେଙ୍କ ଉପରେ ଆକ୍ରମଣ ହୋଇଛି । ଷ୍ଟେଜ ଉପରେ ଭାଷଣ ଦେଉଥିବାବେଳେ ପଛପଟୁ ଗୁଳିମାଡ଼ ହୋଇଥିଲା । ଛାତିରେ ଗୁଳି ବାଜିଥିବା ବେଳେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ପୋଲିସ ଗିରଫ କରିଛି । ଏଥିରେ ସେ ଗୁରୁତର ଆହତ ହୋଇଥିବା ଖବର ମିଳିଛି ।

ସୂଚନା ଅନୁସାରେ ଜାପାନର ନାରା ସହରର ଏକ କାର୍ଯ୍ୟକ୍ରମରେ ସିଞ୍ଜୋ ଆବେ ଭାଷଣ ଦେଉଥିଲେ । ଏହି ସମୟରେ ହଠାତ୍ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା । ଏବେ ସିଞ୍ଜୋ ଆବେଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଏନେଇ ଦ ଜାପାନ ଟାଇମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଜାପାନରେ ସର୍ବାଧିକ ସମୟ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି ଆବେ । ସେ ୨୦୦୬ରୁ ୨୦୦୭ ଓ ୨୦୧୨ରୁ ୨୦୨୦ ଯାଏ ପ୍ରଧାନମନ୍ତ୍ରୀ ଥିଲେ । ତେବେ କେଉଁ କାରଣରୁ ତାଙ୍କ ଉପରକୁ ଗୁଳିମାଡ଼ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।