ରାଜ୍ୟପାଳଙ୍କୁ ଭେଟିଲେ ଫଡନାବୀସ ଓ ବିଜେପି ବିଧାୟକ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବଡ ଧରଣର ଘଟଣାକ୍ରମ ସାମ୍ନାକୁ ଆସିଛି  ।  ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ବିଦ୍ରୋହୀଙ୍କ ସହ ମିଶି ସରକାର ଗଢିବା ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି । ପ୍ରଥମେ ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କୁ ଭେଟିବା ପରେ ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ  । ଆଉ ଏବେ ସେ ରାଜ୍ୟପାଳ ଭଗତ ସିଂ କୌଶ୍ୟାରିଙ୍କୁ ଭେଟିଛନ୍ତି  ।  ସେ ବିଜେପି ବିଧାୟକଙ୍କ  ସହ ମିଶି ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି  । ଫ୍ଲୋର ଟେଷ୍ଟ ପାଇଁ ଏକ ଚିଠି ମଧ୍ୟ ସେ ରାଜ୍ୟପାଳଙ୍କୁ ଦେଇଛନ୍ତି  । ମହାରାଷ୍ଟ୍ରରେ ଏବେ ଚାଲିଥିବା ସଙ୍କଟ ସମ୍ପର୍କରେ କଥା ହୋଇଛନ୍ତି । ମହାବିକାଶ ଅଘାଡି ମେଣ୍ଟ ପାଖରେ ସରକାର ବଞ୍ଚାଇବା ପାଇଁ ବହୁମତ ନଥିବା କଥା ତାଙ୍କୁ କହିଛନ୍ତି  । ଶିବସେନା ସହ ବିଦ୍ରୋହ କରି ୪୦ରୁ ଉର୍ଦ୍ଧ୍ୱ ବିଧାୟକ ମହାବିକାଶ ଅଘାଡି ସରକାରରୁ ସମର୍ଥନ ଫେରାଇ ନେଇଛନ୍ତି  । ଏଭଳି ସ୍ଥିତିରେ ମହାବିକାଶ ଅଘାଡି ସରକାରକୁ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଅନୁମତି ମାଗିଛନ୍ତି  ।  ତେବେ ରାଜ୍ୟପାଳ ଅନୁରୋଧ ଉପରେ ବର୍ତ୍ତମାନ ସୁଦ୍ଧା ମୋହର ମାରି ନାହାନ୍ତି  ।

ଏହା ପର୍ବରୁ ସ୍ୱାଧୀନ ୮ ବିଧାୟକ ମଧ୍ୟ ରାଜ୍ୟପାଳଙ୍କୁ ଇମେଲ କରି ଯଥାଶୀଘ୍ର ଫ୍ଲୋର ଟେଷ୍ଟ କରିବା ପାଇଁ ଦାବି କରିଥିଲେ । ଏହାପରେ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାବୀସ ରାଜ୍ୟପାଳଙ୍କୁ ଭେଟି ଫ୍ଲୋର ଟେଷ୍ଟ କଥା ଦୋହରାଇଛନ୍ତି  ।  ଆସନ୍ତା ୩୦ ତାରିଖରେ ଫ୍ଲୋର ଟେଷ୍ଟ ହେବାର ସମ୍ଭାବନା ରହିଛି । ସେପଟେ ୩୦ ତାରିଖ ସୁଦ୍ଧା ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ମୁମ୍ବାଇ ଆସିବେ ବୋଲି କହିଥିଲେ  । ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇ ପାରେ ବିଜେପି ବିଦ୍ରୋହୀଙ୍କ ସହ ମିଶି ସରକାର ଗଢିବା ପାଇଁ ଯାଉଛି  । ଯେତବେଳେ ଶିବସେନାର ଦୁଇ ଗୋଷ୍ଠୀ ମଧ୍ୟରେ ଲଢେଇ ଚାଲିଥିଲା ସେତବେଳେ ବିଜେପି କେବଳ ଶୀତଳ ଯୁଦ୍ଧ କରୁଥିଲା  । ଆଉ ଏବେ ବିଜେପି ମଇଦାନକୁ ଓହ୍ଲାଇ ଛକା ମାରିବା ଲକ୍ଷ୍ୟ ରଖିଛି  ।

ଦୀର୍ଘ ୧୦ ଦିନ ହେବ ମହାରାଷ୍ଟ୍ର ରାଜନୀତି ସଙ୍କଟ ଆରମ୍ଭ ହୋଇଥିଲା ଯେତବେଳେ ସିନ୍ଦେ ନିଜ ସମର୍ଥକଙ୍କ ସହ ମହାରାଷ୍ଟ୍ର ଛାଡି ଦେଇଥିଲେ  । ବିଜେପି ଶାସିତ ରାଜ୍ୟରେ ରହି ଶକ୍ତି ପ୍ରଦର୍ଶନ ସହ ସରକାର ଭାଙ୍ଗିବା ପାଇଁ ଗୋଟି ଚାଳନା କରିଥିଲେ । ଏବେ ତାଙ୍କ ଗୋଷ୍ଠୀରେ ୪୯ ବିଧାୟକ ଥିବା ସେ ଦାବି କରୁଛନ୍ତି  । ଶିବସେନା ପାଖରେ କେବଳ ୧୬ ବିଧାୟକଙ୍କ ସମର୍ଥକ ରହିଛି  । ସୀତଳ ଯୁଦ୍ଧ କରୁଥିବା ବିଜେପି ଏବେ ମଇଦାନକୁ ଓହ୍ଲାଇଛି  । ଅନ୍ୟପକ୍ଷରେ ଅସହାୟ ଶିବସେନା ମୁଖିଆ ଉଦ୍ଧବ ଠାକରେ ବିଦ୍ରୋହୀଙ୍କୁ ମହାରାଷ୍ଟ୍ର ଫେରିବା ପାଇଁ ଅନୁରୋଧ କରିଛନ୍ତି । ରାଜ୍ୟପାଳ ଫଡନାବୀସଙ୍କ ଅନୁରୋଧକୁ ଗ୍ରହଣ କରି ଫ୍ଲୋର ଟେଷ୍ଟ ପାଇଁ ଅନୁମତି ଦେଉଛନ୍ତି ନା ରାଜନୀତିରେ ଆଉ କିଛି ହଟଚମଟ ସୃଷ୍ଟି ହେବ ତାହା ଆଗକୁ ଦେଖିବା ବାକି ରହିଲା  ।