ଓଡ଼ିଶାର ପୂର୍ବତନ ଆଡଭୋକେଟ ଜେନେରାଲ ଜୟନ୍ତ ଦାସଙ୍କ ବିୟୋଗରେ ଆଇନ ମନ୍ତ୍ରୀଙ୍କ ଶୋକ

କଟକ: ରାଜ୍ୟର ପୂର୍ବତନ ଆଡଭୋକେଟ ଜେନେରାଲ ତଥା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଜୟନ ଦାସଙ୍କ ପରଲୋକ ହୋଇଛି । ତାଙ୍କୁ ୭୮ ବର୍ଷ ହୋଇଥିଲା । ସେ ଗତ କିଛି ଦିନ ଧରି ଅସୁସ୍ଥ ହୋଇ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ୱର୍ଗତ ଦାସ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଅଣନାତି ତଥା ଜଷ୍ଟିନ ନବ କୁମାର ଦାସଙ୍କ ଓ ପ୍ରଭାମୟୀ ଦେବୀଙ୍କ ପୁଅ ଥିଲେ । ସେ ସର୍ବ ଭାରତୀୟ ସେବା ଆଲାଏଡ୍ରେ ଦେଇ କିଛି ବର୍ଷ କାର୍ଯ୍ୟ କରିବା ପରେ ଚାକିରି ଛାଡ଼ି ଓକିଲାତି ପେସାକୁ ଆପଣାଇଥିଲେ । ୧୯୯୧ରେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ତାଙ୍କୁ ବରିଷ୍ଠ ଆଇନଜୀବୀ ଭାବେ ମାନ୍ୟତା ପ୍ରଦାନ କରାଯାଇଥିଲା । ସେ ରାଜ୍ୟର ଆଡଭୋକେଟ ଜେନେରାଲ ଭାବେ କାର୍ଯ୍ୟ କରିଥିଲେ । ଏଥିସହିତ ୨୦୧୩ରେ ଓଡ଼ିଶଶ ହାଇକୋର୍ଟ ବାର ଆସୋସିଏସନ୍ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ସୁପ୍ରିମକୋର୍ଟ ତଥା ହୋଇକୋର୍ଟର ଜଣେ ବରିଷ୍ଠ ଆଇନଜୀବୀ ଭାବେ ସେ ସାରା ଦେଶରେ ସୁନାମ ଅର୍ଜନ କରିଥିଲେ । ସାମ୍ୱିଧାନିକ ମାମଲା, ଚାକିରି ସମ୍ୱନ୍ଧୀୟ, ଦେଓ୍ୱାନୀ ମାମଲା ପରିଚାଳନାରେ ତାଙ୍କ ବିଶେଷ ଦକ୍ଷତା ଥିଲା । ସେ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ପୁରୀ ଲୋକସଭା ଆସନରୁ ପ୍ରତିନ୍ଦ୍ୱନ୍ଦ୍ୱିତା କରିଥିଲେ । ତାଙ୍କ ପତ୍ନୀ ଭାରତୀୟ ପ୍ରଶାସନିକ ସେବାରୁ ଅବସର ନେଇଥିବା ବେଳେ ପୁଅ ଆଦିତ୍ୟ ନାରାୟଣ ଦାସ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ପରଲୋକରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ସେ ଜଣେ ଅତି ମେଳପି, ନମ୍ର ଓ ଭଦ୍ର ବ୍ୟକ୍ତି ଥିଲେ ଶ୍ରୀ ଜେନା କହିଛନ୍ତି ଏଥିସହିତ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ସମବେଦନା ଜଣାଇଛନ୍ତି  ।

Leave a Reply