ଶ୍ରୀଜଗନ୍ନାଥ ଷ୍ଟାଡିୟମ ପାଇଁ ଉଚ୍ଛେଦ ନୋଟିସ୍‌

1 min read

ପୁରୀ: ଦ୍ରୁତ ଗତିରେ ଆଗେଇ ଚାଲିଛି ପୁରୀର ବିକାଶ ଓ ସୌନ୍ଦର୍ଯ୍ୟକରଣ । ଗୋଟିଏ ପରେ ଗୋଟିଏ ସୌନ୍ଦର୍ଯ୍ୟକରଣ କାମକୁ ପୁରା କରୁଛି ପ୍ରଶାସନ । ଏବେ ଆରମ୍ଭ ହୋଇଛି ପେଣ୍ଠକଟାରେ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ କାମ । ଯାହାକୁ ସ୍ୱାଗତ କରିଛନ୍ତି ସ୍ଥାନୀୟ ବାସିନ୍ଦା । ପେଣ୍ଠକଟାରେ ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଷ୍ଟାଡିୟମ ପ୍ରାଚୀରକୁ ଲାଗିକରି ଥିବା ଦୀର୍ଘ ବର୍ଷର ବ୍ୟବସାୟିକ ପ୍ରତିଷ୍ଠାନକୁ ହଟାଇବାକୁ ପୌରସଂସ୍ଥା ନୋଟିସ କରିଛି । ଦୋକାନ ଗୁଡ଼ିକୁ ଅସୁରକ୍ଷିତ ଦର୍ଶାଇ, ସୋମବାର ସୁଦ୍ଧା ଦୋକାନ ଖାଲି କରିବାକୁ ନୋଟିସ ଦିଆଯାଇଛି । ହାତରେ ସମୟ ନଥିବରୁ ବ୍ୟବସାୟୀ ମାନେ ଦୋକାନ ଖାଲି କରିବା ନେଇ ଅଧିକ ସମୟ ମାଗିଛନ୍ତି । ତେବେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତିକୁ ସ୍ଥାନୀୟ ବାସିନ୍ଦା ସ୍ୱାଗତ କରିବା ସହ ଉପଯୁକ୍ତ ଥଇଥାନ ପାଇଁ ଦାବି କରିଛନ୍ତି ।

 

ସୁୂଚନାଯୋଗ୍ୟ, ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରି ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅଚାନକ ଗସ୍ତ କରି ପୁରୀରେ ପହଞ୍ଚି ପ୍ରଥମେ ସେ ସିଂହଦ୍ୱାରରୁ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଏହାପରେ ସେ ଶ୍ରୀମନ୍ଦିର ଚାରିକଡରେ ଚାଲିଥିବା ସୌନ୍ଦର୍ଯ୍ୟକରଣର ତଦାରଖ କରିଥିଲେ । ବିଶେଷକରି ୭୫ମିଟର ଉଚ୍ଛେଦ କାମ କେତେ ବାଟ ଆଗେଇଛି ସେ ନେଇ ସମୀକ୍ଷା କରିଥିଲେ ନବୀନ । ମୁଖ୍ୟମନ୍ତ୍ରୀ ସିଂହଦ୍ୱାରରୁ ବୁଲିବା ଆରମ୍ଭ କରି ବାକି ତିନି ଦ୍ୱାର ବୁଲିବା ସହ ପ୍ରକଳ୍ପ କାମ ବାବଦରେ ପଚାରି ବୁଝିଥିଲେ ।

ଏହି ସମୟରେ ତାଙ୍କ ସହ ଉପସ୍ଥିତ ଥିଲେ 5-T ସଚିବ ଭି.କେ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧଘଣ୍ଟାରୁ ଅଧିକ ସମୟ ଧରି ଚାଲି ଚାଲି ପ୍ରକଳ୍ପ କାମ ଅନୁଧ୍ୟାନ ଓ ସମୀକ୍ଷା କରିଥିଲେ । ୭୫ ମିଟର ସୁରକ୍ଷା ଜୋନ ବୁଲିବା ସହିତ ଏହି କାମ ପାଇଁ ୩ ମାସରେ ଜମି ଅଧିଗ୍ରହଣ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀରେ ପରିଣତ କରିବା ପାଇଁ ୫୯୦ କୋଟିର ୭ଟି ପ୍ରକଳ୍ପ ପାଇଁ ଘୋଷଣା କରିଥିଲେ । ସେଥିରୁ ଦୁଇଟି ପ୍ରକଳ୍ପ କାମ ଆରମ୍ଭ ହୋଇଯାଇଛି । ଆଗକୁ ୫ଟି ପ୍ରକଳ୍ପର କାମ ଆରମ୍ଭ ହେବ ।

Leave a Reply