ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦୈନିକ ସକାଳୁ ହେବ ବେଦ ପାଠ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯିବ ସ୍ବତନ୍ତ୍ର ପଦକ୍ଷେପ । ପ୍ରତ୍ୟେହ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦୈନିକ ସକାଳୁ ହେବ ବେଦ ପାଠ ଓ ନାମ ସଂକୀର୍ତ୍ତନ । ଏଥିରୁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ସ୍ୱତନ୍ତ୍ର ଅନୁଭୂତି ନେଇ ଫେରିବେ । ସେଥିପାଇଁ ଆଗାମୀ ଦୋଳପୂର୍ଣ୍ଣିମାଠାରୁ ଏହି ସ୍ୱତନ୍ତ୍ର କାର୍ଯ୍ୟ ଆରମ୍ଭ କରାଯିବାକୁ ଥିବା ବେଳେ ଦୋଳବେଦୀକୁ ମଧ୍ୟ ନୂତନ ରୂପ ପ୍ରଦାନ କରାଯାଇଛି ।

ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ସହ ବଢିବ ଆଧ୍ଯାତ୍ମିକ ଭାବନା । ନୂଆ ଓ ଭବ୍ଯ ଅନୁଭବ ନେଇ ଶ୍ରୀକ୍ଷେତ୍ରରୁ ଫେରିବେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବା ପାଇଁ ବ୍ୟବସ୍ଥା କରାଯିବ । ଏ ନେଇ ସ୍ବତନ୍ତ୍ର ବୈଠକରେ ନିଷ୍ପତ୍ତି ଅନୁସାରେ ଆସନ୍ତା ଦୋଳପୂର୍ଣ୍ଣିମାରୁ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରତିଦିନ ସକାଳ ୬ଟାରୁ ୭ଟା ମଧ୍ୟରେ ସିଂହଦ୍ଵାର ସମ୍ମୁଖରେ ବେଦ ପାଠ ସହ ପରିକ୍ରମା ମାର୍ଗରେ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ । ସେହିପରି ପ୍ରତିଦିନ ସନ୍ଧ୍ୟା ସମୟରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ପଶ୍ଚିମ ଓ ଉତ୍ତର ଦ୍ଵାର କୋଣରେ ଥିବା ସ୍ବତନ୍ତ୍ର ଗ୍ୟାଲେରୀରେ ଓଡ଼ିଶୀ, ଛାନ୍ଦ, ଚମ୍ପୁ, ଗୋଟିପୁଅ, ମାହାରୀ ନୃତ୍ୟ ସହିତ ମହାପ୍ରଭୁଙ୍କ ବିଭିନ୍ନ କଥାବସ୍ତୁକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଦୋଳପୂର୍ଣିମା ଅବସରରେ ଏହି ସ୍ୱତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ଦୋଳବେଦୀକୁ ସମ୍ପୂର୍ଣ୍ଣ ନୂଆ ରୂପ ପ୍ରଦାନ କରାଯାଇଛି । ଶ୍ରୀମନ୍ଦିରରେ ଭକ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସେମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ମଧ୍ୟ ଦେଖାଯାଉଛି । ପରିକ୍ରମା ପ୍ରକଳ୍ପ ଉଦଘାଟନ ସମୟରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ନେଇ ନାମ ସଂକୀର୍ତ୍ତନ ଓ ବେଦପାଠ କରାଯାଇଥିଲା । କାର୍ଯ୍ୟକ୍ରମରେ ସେବାୟତଙ୍କୁ ସାମିଲ କରାଯାଇଥିବାରୁ ସେମାନେ ବେଶ ଉତ୍ସାହିତ ଥିବା କହିଛନ୍ତି ।

ଶ୍ରୀଜଗନ୍ନାଥ ସଂସ୍କୃତିକୁ ବିଶ୍ୱବ୍ୟାପୀ କରିବା ନେଇ ପଦକ୍ଷେପକୁ ଚରିତାର୍ଥ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଉଥିବା ଉଦ୍ୟମ ବେସ ପ୍ରଶଂସନୀୟ ବୋଲି କହିଛନ୍ତି ଶ୍ରଦ୍ଧାଳୁ ।