ମାର୍ଚ୍ଚରେ ଫସି ଯାଇଥିଲା ଏଭର ଗିଭେନ୍‌, ଏବେ ପୁଣି ଅତିକ୍ରମ କଲା ସୁଏଜ୍‌ କେନାଲ

ଇସମାଇଲା: ଗତ  ମାର୍ଚ୍ଚ ମାସରେ ଖୁବ୍‌ ଚର୍ଚ୍ଚା ସାଉଣ୍ଟିଥିଲା ସୁଏଜ କେନାଲରେ ଫସି ରହିଥିବା ଏଭର ଗିଭେନ୍‌ ମାଲବାହୀ ଜାହାଜ । ସୁଏଜ କେନାଲରେ ଫସି ରହି ସମଗ୍ର ବିଶ୍ୱ  ବାଣିଜ୍ୟକୁ ଗୋଟିଏ ପଟେ  ଅଟକାଇ ଦେଇଥିବା ବୃହତ୍ ମାଲବାହୀ ଜାହାଜ ଏଭର ଗିଭେନ  ଶୁକ୍ରବାରଦିନ ପୁଣି ଥରେ ସୁଏଜ କେନାଲ ଅତିକ୍ରମ କରିଛି ।

ବ୍ରିଟେନରୁ ଚୀନ ଯାଉଥିବାବେଳେ ଜାହାଜଟି ସୁଏଜ କେନାଲ ଅତିକ୍ରମ କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୂର୍ବଥର ସମସ୍ୟାରେ ପଡ଼ିଥିବା ଏଭର ଗିଭେନ୍‌ ଚଳିତ ଥର କୌଣସି ସମସ୍ୟାର ସମ୍ମୁଖୀନ ନ ହୋଇ  ସୁରୁଖୁରୁରେ କେନାଲ ଅତିକ୍ରମ କରିଛି ବୋଲି  କହିଛନ୍ତି ସୁଏଜ କେନାଲ ଅଥରିଟି  । ଏଥର ଏହି ଜାହାଜ ଅତିକ୍ରମ କରିବା ବେଳେ ଏସିଏର ଦୁଇଟି ଟଗବୋଟ୍ ଏହାକୁ ପାଇଲଟିଂ କରି ନେଇଥିଲେ । ଗତ ମାର୍ଚ୍ଚ ମାସ ପରେ ପ୍ରଥମ ଥର ପାଇଁ ଏହି ବୃହତ ଜାହାଜ ସୁଏଜ କେନାଲ ଅତିକ୍ରମ କରିଛି ।

ସୂଚନା ଅନୁସାରେ  ଗତ ମାର୍ଚ୍ଚ ୨୩ରେ ଜାପାନର ସୋଇ କିସେନ କାଇସା ନାମକ କମ୍ପାନି ମାଲିକାନାରେ ଥିବା ୪୦୦ ମିଟର ଲମ୍ବ ଏଭର ଗିଭେନ ସୁଏଜ କେନାଲରେ ଫସିଯାଇଥିଲା । ଏହା ପରେ ହିଁ ପ୍ରାୟ ୧ ସପ୍ତାହ ଧରି ସୁଏଜ କେନାଲରେ ଭିଡ଼ ଲାଗି ଯାଇଥିଲା । କେନାଲର ଉଭୟ ପଟେ ଶହ ଶହ ଜାହାଜ ଅଟକି ରହିଥିଲେ । ଏହା ଫଳରେ ବିଶ୍ୱ ବାଣିଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ପଥ ପ୍ରଭାବିତ ହୋଇଥିଲା । ସବୁଠାରୁ ଖାସ୍‌ କଥା ହେଉଛି ଏହି ଜାହାଜ ଫସିବା ହେତୁ ଇଜିପ୍ଟରେ ଏହାକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳିଥିଲା । ଯେଉଁଥରେ ମମି ଅଭିଶାପ ଥିଲା ଗୋଟିଏ ।

Leave a Reply