ଡବଲ୍ ଡୋଜ ଟିକା ନେଇଥିଲେ ବି ଲକ୍ଷଣ ଥିଲେ କରୋନା ପରୀକ୍ଷା କରିବାକୁ ପରାମର୍ଶ

ଭୁବନେଶ୍ୱର: ଥମିବାର ନା ନେଉନି କରୋନା ଭୂତାଣୁ। ଗୋଟିଏ ପରେ ଗୋଟିଏ ନୂଆ ଭ୍ୟାରିଆଣ୍ଟ ତିଆରି ହେବାରେ ଲାଗିଛି। କରୋନା ସଂକ୍ରମଣ କରିଥିଲେ ମଧ୍ୟ ବିପଦ କମିନି। ଦିନକୁ ଦିନ କରୋନାକୁ ନେଇ ବିପଦ ବଢ଼ିବାରେ ଲାଗିଛି। ଆଉ ଏବେ ଦେଶରେ କାୟା ମେଲାଉଛି କରୋନାର ନୂଆ ପ୍ରଜାତି। ନୂଆ ଭାରିଆଣ୍ଟ ନେଇ ଚିନ୍ତା ବଢ଼ିଥିବା ବେଳେ ମୁକାବିଲା ପାଇଁ ତତ୍ପର ହୋଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଯଦିଓ ଓଡ଼ିଶାରେ ଏଯାଏ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇନି, ତଥାପି ରାଜ୍ୟରେ ସର୍ଭେଲାନ୍ସ ଉପରେ ଫୋକସ୍ କରାଯାଉଛି। ଜେନମ ସକ୍ୟୁଏନ୍ସିଂ ଚାଲିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି।

ଡେଲ୍‌ଟା ପ୍ଲସର ନୂଆ ଭାରିଆଣ୍ଟ କିଛି ରାଜ୍ୟରେ ଦେଖାଦେଇଛି। ଏହା ଉପରେ ସତର୍କ ନଜର ରଖାଯାଇଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ପାଳନ କରାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସେହିପରି ଦୈନିକ ୬୦ ହଜାରରୁ ୭୦ ହଜାର ଟେଷ୍ଟିଂ କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି। ତୃତୀୟ ଲହର ଆସିବକି ନାହିଁ ଜଣାନାହିଁ। ଲୋକମାନେ ଟେଷ୍ଟିଂକୁ ନଭୁଲିବା ଉଚିତ। ସମସ୍ତେ କରୋନା ନମୁନା ପରୀକ୍ଷା କରିବା ଉଚିତ। ଡବଲ୍ ଡୋଜ ଟିକା ନେଇଥିଲେ ବି ଲକ୍ଷଣ ଥିଲେ ପରୀକ୍ଷା କରିବାକୁ ବୋଲି ସେ ପରାମର୍ଶ ଦେଇଛନ୍ତି। ଏବେବି ସାଢେ ୪ହଜାର ଆକ୍ଟିଭ କେସ ରହିଛି। ତେବେ ଶରୀରରେ ସାମୂହିକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି।

Leave a Reply