ଚିକିଟି ମଦମୃତ୍ୟୁ ପରେ ବି ପଶୁନି ଚେତା, ଏବେ ବି ଚାଲିଛି ଗାଁ ଗାଁରେ ବେଆଇନ ଦେଶୀ ମଦ ଭାଟି

1 min read

ଗଞ୍ଜାମ: ଚିକିଟି ମଦମୃତ୍ଯୁ ପରେ ବି ଚେତୁ ନାହାନ୍ତି ଲୋକେ । ଏବେ ବି ଆସିକା ସମେତ ଧରାକୋଟ ଅଞ୍ଚଳରେ ବେଆଇନ ଭାବେ ଚାଲିଛି ଦେଶୀ ମଦ ରନ୍ଧା । ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢାଉ କରି ମଦ ଜବତ କରାଯିବା ସହିତ ପୋଚ ନଷ୍ଟ କରାଯାଉଛି । ଅନେକ ସ୍ଥାନରୁ ବେଆଇନ ମଦ ପ୍ରସ୍ତୁତକାରୀଙ୍କୁ ଗିରଫ ମଧ୍ଯ କରାଯାଉଛି । ହେଲେ ବେଧଡକ ଭାବେ ଚାଲିଛି ମଦ ରନ୍ଧା । ଅବକାରୀ ବିଭାଗ ଅଗୋଚରରେ ନା ସଲାସୁତରାରେ ଏହି ବେଆଇନ ଦେଶ ମଦ ବେପାର ହେଉଛି ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ଚିକିଟି ମଦ ଟ୍ରାଜେଡି ନେଲା ୫ ଜୀବନ । ସାରା ଦେଶର ସିରୋନାମା ପାଲଟିଲା ଚିକିଟି ଅଞ୍ଚଳ । ଏହା ପରେ ବି ଗଞ୍ଜାମ ଜିଲ୍ଲରୀ ବିଭିନ୍ନ ଅଞ୍ଚଳରେ ଏବେ ବି ଚାଲିଛି ବେଆଇନ ଦେଶୀ ମଦ ଭାଟି । ବିଶେଷ କାି ଆସିକା ଓ ଧରାକୋଟ ଅଞ୍ଚଳରେ ବେଧଡକ ଚୋରା ମଦ ବେପାର ଚାଲିଛି ।

ଅବକାରୀ ବିଭାଗ ଆଖିରେ ଧୂଳି ଦେଇ ଆସିକାର ବିଭିନ୍ନ ଜାଗାରେ ବେଆଇନ ମଦ ତିଆରି କରାଯାଉଥିବା ନେଇ ଅଭିଯୋଗ ହେଉଛି । ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢାଉ କରି ମଦ ଜବତ କରାଯିବା ସହିତ ପୋଚ ନଷ୍ଟ କରାଯାଉଛି । ଅନେକ ସ୍ଥାନରୁ ବେଆଇନ ମଦ ପ୍ରସ୍ତୁତକାରୀ ମାନଙ୍କୁ ଗିରଫ କରୁଛି ଅବକାରୀ ପୋଲିସ । ଗିରଫ ପରେ ବି ଚୋରା ମଦ କାରବାରକାରୀଙ୍କ ମନରେ ନାହିଁ ଟିକେବି ଭୟ । ଜେଲରୁ ବାହାରିବା ପରେ ପୁଣି ଆରମ୍ଭ କରି ଦେଉଛନ୍ତି ବେପାର ।

ଏବେ ପ୍ରଶ୍ନ ଉଠୁଛି ବେଆଇନ ମଦ ରନ୍ଧାର କେବେ ହେବ ଅନ୍ତ । କାରଣ ବିଷାକ୍ତ ମଦ ପିଇବା ପରେ ଅନେକ ସମୟରେ ଲୋକ ଅସୁସ୍ଥ ହେଉଛନ୍ତି । ଚିକିଟି ଘଟଣା ୫ଟି ପରିବାରକୁ ଖାରଖାର କରି ଦେଇଛି । ହେଲେ ବେଆଇନ ମଦରନ୍ଧା ଉପରେ କାହିଁକି ରୋକ ଲାଗି ପାରୁନି ତାକୁ ନେଇ ବିଚାର କରାଯିବାର ସମୟ ଆସିଛି । ନିର୍ବାଚନ ବେଳେ ବିଜେପି ସରକାର ବେଆଇନ ଭାବେ ରନ୍ଧା ହେଉଥିବା ମଦ ଉପରେ ରୋକ ଲଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ତାହା ଏବେ ପାଣିର ଗାର ପାଲଟିଥିବା ବୁଦ୍ଧିଜୀବିମାନେ ମତ ଦେଇଛନ୍ତି ।

ଅପରପକ୍ଷେ ଚିକିଟି ମଦ ମୃତ୍ୟୁ ପରଠୁ ଆକ୍ସନ ମୁଡରେ ରହିଛି ଆସିକା ଅବକାରୀ ବିଭାଗ । ସବୁଠି ଚାଲିଛି ଧରପଗଡ l ବିଭିନ୍ନ ସ୍ଥାନରୁ ଜବତ ହେଇଛି ବେଆଇନ ରନ୍ଧା ମଦ । ଗତ ଅଗଷ୍ଟ ୧୯ ତାରିଖରୁ ଆଜି ଯାଏଁ ଆସିକା ରେଞ୍ଜ ଓ ସେକ୍ସସନରେ ମୋଟ ୨୯ଟି ସ୍ଥାନରେ ଚଢ଼ାଉ ହୋଇଛି । ଏହାକୁ ନେଇ ୨୯ଟି ମାମଲା ରେଜିଷ୍ଟେସନ ହୋଇଥିବା ବେଳେ ୧୨ଟି ମାମଲା ରୁଜୁ ହୋଇଛି । ଏହାସହ ବେଆଇନ ଚୋରା ମଦ ପ୍ରସ୍ତୁତି ଓ ବିକ୍ରୟରେ ୨୧ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଘଟଣା ସ୍ଥଳରୁ ଜବତ ମୋଟ ୪୫ ହଜlର ଆଠ ଶହ ଲିଟର ପୋଚ ନଷ୍ଟ କରାଯାଇଥିବା ବେଳେ ୧୬ ଶହ ୧୮ ଲିଟର ମଦ ଜବତ କରିଛି ଅବକାରୀ ବିଭାଗ ।