ଦେଢ଼ ମାସ ପରେ ବି କଂଗ୍ରେସ ବାଛି ପାରୁନି ବିରୋଧୀ ଦଳ ନେତା

ଭୁବନେଶ୍ବର: ଦେଢ ମାସ ହେଲା ନିର୍ବାଚନ ସରିଲାଣି । ଗତଥର ଅପେକ୍ଷା କଂଗ୍ରେସର ଏଥର ଅଧିକ ବିଧାୟକ ନିର୍ବାଚିତ ହୋଇଛନ୍ତି । ତଥାପି ବିଧାୟକ ଦଳ ନେତା ଚୟନ ହୋଇପାରୁନି । କୁହାଯାଉଛି ଗୋଷ୍ଠୀ କନ୍ଦଳ ସକାଶେ ହାତ ଦଳ ବିଧାନସଭା ମଙ୍ଗୁଆଳ ବାଛିପାରୁନି । ଆସନ୍ତା ୨୨ ତାରିଖରୁ ବିଧାନସଭା ଅଧିବେଶନ ବସିବ । ତା’ ପୂର୍ବରୁ ଯେ କୌଣସି ମୂହୁର୍ତ୍ତରେ ହାଇକମାଣ୍ଡ ଦଳର ନେତା ଘୋଷଣା କରିପାରନ୍ତି । ତେବେ ରେସରେ ଆଗରେ ଅଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ । ଏହାଛଡ଼ା ବିଧାୟକ ରମେଶ ଜେନା ଓ ଡ. ରାଜନ ଏକ୍କାଙ୍କ ନାଁ ବି ଚର୍ଚ୍ଚାରେ ରହିଛି ।

କଂଗ୍ରେସକୁ ନେତା ଟେନସନ । କିଏ ଧରିବ ବିଧାନସଭା ମଙ୍ଗ ? ତାକୁ ନେଇ ଜାରି ରହିଛି ସସପେନ୍ସ । ବିଧାୟକ ଦଳ ନେତା ଚୟନକୁ ନେଇ ଭୁବନେଶ୍ବରରୁ ଦିଲ୍ଲୀ ଯାଏଁ ଚାଲିଛି କସରତ । ଆସନ୍ତା ୨୨ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଥିବାରୁ ହାଇକମାଣ୍ଡ ଯେ କୌଣସି ମୂହୁର୍ତ୍ତରେ ବିଧାୟକ ଦଳ ନେତାଙ୍କ ନାଁ ଘୋଷଣା କରିପାରିନ୍ତି ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ।

ବିଧାୟକ ଦଳ ନେତା ଚୟନ ନେଇ ବିଧାୟକମାନେ ଭିନ୍ନ ଭିନ୍ନ ମତ ରଖିଛନ୍ତି । ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ହାଇକମାଣ୍ଡ ଯାହାକୁ ଦଳର ନେତା ବାଛିବେ ତାହାକୁ ଆମେ ଗ୍ରହଣ କରିବୁ । ନିଜର ବିଧାନସଭା ଅଭିଜ୍ଞତାକୁ ନେଇ ନେତା ହେବାକୁ ମଧ୍ୟ ସେ ଇଚ୍ଛା ପ୍ରକାଶ କରିଆସୁଛନ୍ତି । ତେବେ ୩ ଜଣଙ୍କ ନାଁ ଦିଲ୍ଲୀ ଯାଇଛି ବୋଲି କହିଛନ୍ତି ବିଧାୟକ ଦାଶରଥୀ ଗମାଙ୍ଗ ।

୨୪ ବର୍ଷ ଧରି କ୍ଷମତା ବାହାରେ ରହିଛି କଂଗ୍ରେସ । ୨୦୦୦ ମସିହାରୁ ୨୦୨୪ ଯାଏଁ କଂଗ୍ରେସର ଭୋଟ ହାର ଦ୍ରୁତ ଭାବେ ହ୍ରାସ ପାଇବାରେ ଲାଗିଛି । ୨୦୧୯ ଅପେକ୍ଷା ୨୦୨୪ରେ କଂଗ୍ରେସର ବିଧାୟକ ସଂଖ୍ୟା ବୃଦ୍ଧି ପାଇଛି । ଦଳ ପାଖରେ ବହୁତ ସୁଯୋଗ ରହିଥିବା ବେଳେ ବିଧାୟକ ଦଳ ଚୟନ ନେଇ ଚିନ୍ତାରେ ପଡ଼ିଛି ଦଳ । କଂଗ୍ରେସରେ ଗୋଷ୍ଠୀ ବିବାଦ ଜାରି ରହିଥିବାରୁ ବିଧାୟକ ଦଳ ନେତା ଚୟନ ହୋଇପାରୁ ନଥିବା ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି । ଯଦି ବିଧାୟକ ଦଳ ଚୟନରେ ବିଧାୟକଙ୍କ ସହମତି ନରହିବ ତେବେ ବିଧାନସଭାରେ କଂଗ୍ରେସକୁ ଏହାର କ୍ଷତି ସହିବାକୁ ପଡ଼ିବ ।

ନିକଟରେ ଦଳର ଏକମାତ୍ର ସାଂସଦଙ୍କ ସହ ୭ ଜଣ ନିର୍ବାଚିତ ବିଧାୟକ କଂଗ୍ରେସର ଶୀର୍ଷ ନେତୃତ୍ବଙ୍କୁ ଭେଟି ଆଲୋଚନା କରିଛନ୍ତି । ପିସିସି ସଭାପତି ଓ ପ୍ରଭାରୀ ମଧ୍ୟ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି । ଏହା ପରେ ବି ବିଧାୟକ ଦଳ ନେତା ଚୟନ ହୋଇପାରୁନି ।