ଶୋଇବା ଘରେ ଫାଟିଲା ଇଲେକ୍ଟ୍ରିକ୍ ବାଇକ୍ ବ୍ୟାଟେରୀ, ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଅମରାବତୀ: ଇଲେକ୍ଟ୍ରିକ୍ ବାଇକ୍ ବ୍ୟାଟେରୀ ଫାଟି ସ୍ବାମୀ ମୃତ, ସ୍ତ୍ରୀ ପିଲା ଗୁରୁତର  । ଶନିବାର ଆନ୍ଧ୍ରପ୍ରଦେଶ ବିଜୟ୍ଓ୍ବାଡାରେ ଏହି ଘଟଣା ଘଟିଛି । ବାଇକର ବ୍ୟାଟେରୀ ଚାର୍ଜ ବସାଇଥିଲାବେଳ ଏହି ଦୁର୍ଘଟଣା ଘଟିଛି । ଏଥିରେ ୪୦ ବର୍ଷିୟ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲାବେଳେ ତାଙ୍କ ପତ୍ନୀ ଜଳିଯାଇଛନ୍ତି । ସେ ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ତାଙ୍କର ଦୁଇ ପିଲା ଶ୍ବାସରୁଦ୍ଧ ହୋଇଯାଇଥିଲେ । ସେମାନଙ୍କର ମଧ୍ୟ ଚିକିତ୍ସା ଚାଲିଛି ।

ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ନାଁ ହେଉଛି ଶିବ କୁମାର । ଶୁକ୍ରବାର ଦିନ ଶିବ କୁମାର ଏହି ଇଲେକ୍ଟ୍ରିକ୍‌ ବାଇକ୍ କିଣିଥିଲେ। ସେହିଦିନ ରାତିରେ ଗାଡ଼ିର ବ୍ୟାଟେରୀକୁ ସେ ଶୋଇବା ଘରେ ଚାର୍ଜରେ ବସାଇଥିଲେ।  ଭୋର ସମୟରେ ହଠାତ୍‌ ବ୍ୟାଟେରୀଟି ଫାଟି ଯିବାରୁ ଘର ଭିତରେ ନିଆଁ ଲାଗି ଯାଇଥିଲା।

ଶିବ କୁମାରଙ୍କ ଘର ଭିତରୁ ଧୂଆଁ ବାହାରୁଥିବାର ପାଖ ପଡ଼ୋଶୀମାନେ ଦେଖିଥିଲେ। ସେମାନେ କବାଟ ଭାଙ୍ଗି ପରିବାରର ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଶିବ କୁମାରଙ୍କୁ ଡାକ୍ତରଖାନା ନିଆଯାଉଥିବା ବେଳେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଘରେ ନିଆଁ ଲାଗିଯିବା ଯୋଗୁ ଏସି ସହିତ ଆଉ କିଛି ଆସବାବପତ୍ର ମଧ୍ୟ ପୋଡ଼ି ଯାଇଛି।