ଚେତାବନୀ ଦେଲା WHO, ୟୁରୋପରେ ୭ ଲକ୍ଷରୁ ଅଧିକ ଜୀବନ ନେଇପାରେ କରୋନା

ଜେନେଭା: ୟୁରୋପର ଅଧିକାଂଶ ରାଷ୍ଟ୍ରରେ କାୟା ମେଲାଉଛି କରୋନା। ଏଭଳି ସମୟରେ ପୁଣି ଚିନ୍ତାଜନକ ଖବର ଦେଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଆସନ୍ତା ମାର୍ଚ୍ଚ ସୁଦ୍ଧା ୟୁରୋପ ଓ ଏସିଆର ଆଂଶିକ ଅଞ୍ଚଳରେ ଆଉ ୭ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇପାରେ ଭୂତାଣୁ । ବର୍ତ୍ତମାନ ସୁଦ୍ଧା ୟୁରୋପର ୫୩ଟି ରାଷ୍ଟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫ ଲକ୍ଷ ପାର୍ ହୋଇଥିବାବେଳେ ଏବେବି ସଂକ୍ରମଣ ଜାରି ରଖିଛି।

ଏପରିକି ୟୁରୋପରେ ମୋଟ ମୃତ୍ୟୁ ସଂଖ୍ୟା ୨୨ ଲକ୍ଷ ହେବାର ଆଶଙ୍କା ସୃଷ୍ଟି ହୋଇଛି। ୟୁରୋପର ଅଧିକାଂଶ ରାଷ୍ଟ୍ରରେ ସଂକ୍ରମଣ ଗ୍ରାଫ ବଢିବା ସହ ମୃତ୍ୟୁ ସଂଖ୍ୟା ବଢୁଛି। ଅନେକ ରାଷ୍ଟ୍ରରେ ଲକଡାଉନ ପ୍ରକ୍ରିୟା ବି ଜାରି ରହିଛି। ସେପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆଶଙ୍କା ୟୁରୋପ ଓ ଏସିଆରେ ଚିନ୍ତା ସୃଷ୍ଟି କରିଛି।

ୟୁରୋପର ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନରେ କରୋନା ଏବେ ଗଭୀର ସଙ୍କଟର କାରଣ ହୋଇଛି । କିଛି ରାଷ୍ଟ୍ର ଟିକାକରଣକୁ ଅଧିକ ଗୁରୁତ୍ବ ଦେଉଥିବା ସତ୍ତ୍ବେ ଟିକା ଅଭାବ ଯୋଗୁ ସମସ୍ୟାର ସମାଧାନ ହୋଇପାରୁନାହିଁ । ବର୍ତ୍ତମାନ ସଂକ୍ରମଣ ବୃଦ୍ଧି କାରଣରୁ ଅଷ୍ଟ୍ରିଆ, ନେଦରଲ୍ୟାଣ୍ଡ, ବେଲଜିୟମରେ ଲକଡାଉନ ଜାରି ରହିଛି । ବର୍ତ୍ତମାନ ଏହି ୟୁରୋପ ଓ ଏସିଆରେ ଦୈନିକ ମୃତ୍ୟୁ ସଂଖ୍ୟା ୪ ହଜାର୨୦୦ରୁ ଅଧିକ ରହିଛି । କେବଳ ଋଷରେ ଦୈନିକ ୧୨ଶହ ଲୋକ ପ୍ରାଣ ହରାଉଛନ୍ତି ।

Leave a Reply