ଇସ୍ରାଏଲ- ପାଲେଷ୍ଟାଇନ ଯୁଦ୍ଧ ଅବସାନ ଲାଗି ଅନ୍ତରାଷ୍ଟ୍ରୀୟ ସ୍ତରରେ ଉଦ୍ୟମ

ନୂଆଦିଲ୍ଲୀ : ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଅବସାନ ଲାଗି ଅନ୍ତରାଷ୍ଟ୍ରୀୟ ସ୍ତରରେ ଉଦ୍ୟମ । ସ୍ଥିତି ସ୍ବାଭାବିକ କରିବା ଲାଗି ଆଜି ବସିବ ୟୁରୋପୀୟ ୟୁନିଅନ ବୈଦେଶିକ ମନ୍ତ୍ରୀଙ୍କ ବୈଠକ । ଓମାନ ରାଜଧାନୀ ମସ୍କଟରେ ଏହି ବୈଠକ ହେବ । ଇସ୍ରାଏଲୀ ସେନା ଓ ହମାସ ସଦସ୍ୟଙ୍କ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଥିବା ବେଳେ ସ୍ଥିତି ପ୍ରତି ନଜର ରଖିଛି ଇୟୁ । ସେପଟେ ଶାନ୍ତି ଫେରାଇଆଣିବା ଲାଗି ହମାସ ସହ କଥାବାର୍ତ୍ତା କରିଛି କତାର ।

ଇସ୍ରାଏଲକୁ ଆମେରିକା ସମର୍ଥନ କରିଥିବା ବେଳେ ପାଲେଷ୍ଟାଇନକୁ ସମର୍ଥନ କରିଛି ଇରାନ । ଯୁଦ୍ଧ ବିରତି ଲାଗି ଆହ୍ବାନ ଦେଇଛି ଚୀନ । ପଣବନ୍ଦୀଙ୍କୁ ମୁକ୍ତ କରିବା ଲାଗି ଇସ୍ରାଏଲ ଜୋରଦାର ଉଦ୍ୟମ କରୁଥିବା ବେଳେ ଅନେକ ପଣବନ୍ଦୀଙ୍କ ପତ୍ତା ମିଳୁନି । ହମାସ କବଳିତ ଗାଜାର ସମସ୍ତ ସହରରୁ ନାଗରିକମାନେ ତୁରନ୍ତ ନିରାପଦ ଜାଗାକୁ ଚାଲିଯାଆନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।

ନୌପଥ, ସ୍ଥଳପଥ, ଆକାଶ ପଥ ଆଦିକୁ ଅବରୋଧ କରି ଗାଜାକୁ ସମ୍ପୂର୍ଣ୍ଣ ଅବରୋଧ କରିଛି ଇସ୍ରାଏଲ । ସୀମାରେ ସତର୍କ ବ୍ୟବସ୍ଥା କରାଯାଇଛି । ଅର୍ଥନୈତିକ ଅବରୋଧ କାରଣରୁ ଗାଜା ଭିତରକୁ କୌଣସି ପ୍ରକାର ସାମଗ୍ରୀର ଯୋଗାଣ ସମ୍ଭବ ହେଉନାହିଁ । ଉଭୟ ପକ୍ଷର ମୃତକଙ୍କ ସଂଖ୍ୟା ୧୩ଶହ ହୋଇଥିବା ସୂଚନା ମିଳିଛି । ସେପଟେ ହମାସ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ମହମବତି ଲଗାଇ ଶୋକବ୍ୟକ୍ତ କରିଛି ନେପାଳ ଷ୍ଟୁଡେଣ୍ଟସ ୟୁନିଅନ ।