କ୍ୟାନସର ଡାଇବେଟିସ ଔଷଧ ଶସ୍ତା, ୪୦ ପ୍ରତିଶତ କମିଛି ମେଡିସିନ ଦାମ୍‌

ନନ୍ଦିଘୋଷ ବ୍ୟୁରୋ: ଶସ୍ତାହେଲା ଅତ୍ୟାବଶ୍ୟକ ଔଷଧ । କ୍ୟାନସର, ଡାଇବେଟିସ୍, ଜ୍ବର ଓ ହେପାଟାଇଟିସ୍ ସହିତ ଅନେକ ଗମ୍ଭୀର ରୋଗର ମେଡିସିନ୍ ଶସ୍ତା ହୋଇଛି । ପୂର୍ବ ଅପେକ୍ଷା ୪୦ ପ୍ରତିଶତ କମିଛି ଦାମ୍ । ପାରାସିଟାମୋଲ ମେଡିସିନ୍ ଦର ୧୨ ପ୍ରତିଶତ କମ୍ ହୋଇଛି । ଫଳରେ ଏବେ ୨ଟଙ୍କା ତଳକୁ ଖସିଛି ପାରାସିଟାମଲ ଔଷଧ ଦର ।

ମ୍ୟାଲେରିଆ ଔଷଧ ଦର ମଧ୍ୟ ହ୍ରାସ ପାଇଛି । ଆବଶ୍ୟକୀୟ ଔଷଧ ସୂଚୀରେ ସାମିଲ ପରେ ଔଷଧର ନୂଆ ମୂଲ୍ୟ ଧାର୍ଯ୍ୟ ହୋଇଛି । ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥୋରିଟି ୧୧୯ ପ୍ରକାର ମେଡିସିନର ସର୍ବାଧିକ ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅତ୍ୟାବଶ୍ୟକ ମେଡିସିନ୍ ତାଲିକା ଜାରି କରିଥାଏ ।

ଚଳିତବର୍ଷ ସେପ୍ଟେମ୍ବର ମାସରେ ଏହି ତାଲିକା ଜାରି କରାଯାଇଥିଲା । ଏଥିରେ ୨୭ଟି ଶ୍ରେଣୀରେ ୩୮୪ ମେଡିସିନ୍ ସାମିଲ ଥିଲା । ତେବେ ଚଳିତଥର ଏହି ଲିଷ୍ଟରେ ୩୪ ନୂଆ ମେଡିସିନ୍ ସାମିଲ ହେବା ସହିତ ୨୬ଟି ମେଡିସିନକୁ ଅତ୍ୟାବଶ୍ୟକ ମେଡିସିନ୍ ଲିଷ୍ଟରୁ ହଟେଇ ଦିଆଯାଇଛି ।