କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ସାହାରା ଇଣ୍ଡିଆ ଗ୍ରୁପ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛି । କମ୍ପାନୀ ଦ୍ବାରା ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ଜମା କରାଯାଇଥିବା ୧୧୮୦ କୋଟି ଟଙ୍କା ଭବିଷ୍ୟ ନିଧି (ପିଏଫ) ଓ ପେନସନ ବକେୟା ବିରୋଧରେ ଇପିଏଫଓ ସାହାରାର ସମ୍ପତି ଜବତ କରିବାକୁ ନୋଟିସ ଜାରି କରିଛି । ସାହାରାରେ ଦୀର୍ଘ ସମୟ ଧରି ଆର୍ଥିକ ଅନିୟମିତତା ମଧ୍ୟରେ ଏହି ଖବର ସାମ୍ନାକୁ ଆସିଛି । ଏଜେଣ୍ଟମାନଙ୍କୁ କର୍ମଚାରୀ ଭାବେ ଗ୍ରହଣ କରି ସେମାନଙ୍କର ପିଏଫ ଯୋଗଦାନ ବାଧ୍ୟତାମୂଳକ କରାଯାଇଛି । ଯଦି ବାକି ଅର୍ଥ ଠିକ୍ ସମୟରେ ଜମା କରାନଯାଏ, ତେବେ ଇପିଏଫଓ ଆଇନ ଅନୁଯାୟୀ ଜବତ ଓ ସୁଧ ସହିତ ଦଣ୍ଡ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ ।
ଇପିଏଫଓର ଲକ୍ଷ୍ନୌ କ୍ଷେତ୍ରୀୟ କାର୍ଯ୍ୟାଳୟ ସାହାରା ଇଣ୍ଡିଆକୁ ନୋଟସ ଜାରି କରି ନିର୍ଦ୍ଦେଶ ଦେଇଛି ଯେ, ୧୫ ଦିନ ଭିତରେ ୧୧୮୦ କୋଟି ଟଙ୍କା ଜମା କରନ୍ତୁ । ଏଜେଣ୍ଟମାନେ ବାସ୍ତବରେ କମ୍ପାନୀର କର୍ମଚାରୀ ଥିଲେ, ଯେଉଁମାନଙ୍କ ପାଇଁ ପିଏଫ ଯୋଗଦାନ ବାଧ୍ୟତାମୂଳକ ଥିଲା ବୋଲି ଇପିଏଫଓ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି । ଯଦି ବିଳମ୍ବ ହୁଏ, ତେବେ ଧାରା ୮ବି ରୁ ୮ଜି ଅଧୀନରେ ବିନା ଅତିରିକ୍ତ ନୋଟିସରେ ବକେୟା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବ । ସେଥିରେ ସୁଧ ଓ ଜରିମାନାକୁ ସାମିଲ କରାଯିବ । ମୋଟ ବକେୟା ସୁଧ ସହିତ ୩୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ପାରେ ବୋଲି ଅନୁମାନ କରାଯାଉଛି । ୨୦୧୩ ମସିହାରୁ ଜାରି ରହିଥିବା ଯାଞ୍ଚ ପରେ ସାହାରା ଇଣ୍ଡିଆ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

