ଜୁନରୁ ଇପିଏଫ ସଦସ୍ୟଙ୍କୁ ମିଳିବ ଏଟିଏମ, ଟଙ୍କା ଉଠାଇବା ହେବ ସହଜ
1 min readନୂଆଦିଲ୍ଲୀ: ଏଣିକି ଇପିଏଫରୁ ଟଙ୍କା ଉଠାଣ ହେବ ସହଜ । ଯେ କୌଣସି ବ୍ୟାଙ୍କ ଏଟିଏମରୁ ଇପିଏଫ ହିତାଧିକାରୀ ଉଠାଇ ପାରିବେ ଟଙ୍କା । ନୂଆବର୍ଷରୁ ସାରାଦେଶରେ ଲାଗୁ ହୋଇଛି EPFO 3.0 । ନୂଆ ବ୍ୟବସ୍ଥା ଯୋଗୁଁ ଉପକୃତ ହେବେ ୭ କୋଟି ଇପିଏଫ୍ଓ ସଦସ୍ୟ । ଆସନ୍ତା ଜୁନ୍ ମାସରୁ ସଦସ୍ୟମାନଙ୍କୁ ଯୋଗାଇ ଦିଆଯିବ ଇପିଏଫ୍ଓ ଏଟିଏମ୍ କାର୍ଡ । ଏହି ଏଟିଏମ୍ କାର୍ଡ ଜରିଆରେ ଯେ କୌଣସି ରାଷ୍ଟ୍ରାୟତ୍ତ, ଘରୋଇ ଓ ସମବାୟ ବ୍ୟାଙ୍କ ଏଟିଏମରୁ ଜମା ରାଶିର ୫୦ ପ୍ରତିଶତ ପର୍ଯ୍ୟନ୍ତ ଉଠାଣ କରିହେବ । ଯାହାକୁ ସବୁ ମହଲରେ ସ୍ବାଗତ କରାଯାଇଛି ।
ଝିଅ ବାହାଘର ହେଉ କି ଡାକ୍ତରଖାନା ପାଇଁ ଟଙ୍କା । ଜରୁରୀ ସମୟରେ ଆଉ ଯିବାକୁ ପଡ଼ିବନି ଇପିଏଫ କାର୍ଯ୍ୟାଳୟ । ଇପିଏଫ ଅଫିସ ଆଗରେ ଆଉ ଧାଡ଼ିରେ ଠିଆ ହେବାକୁ ପଡ଼ିବନି । ଏଣିକି ଇପିଏଫ୍ ଏଟିଏମ୍ କାର୍ଡ ଜରିଆରେ ଯେ କୌଣସି ବ୍ୟାଙ୍କ ଏଟିଏମ୍ କାଉଣ୍ଟରରୁ ଟଙ୍କା ଉଠାଇ ପାରିବେ ଇପିଏଫ୍ଓ ସଦସ୍ୟ । ନୂଆବର୍ଷରୁ ଭାରତ ସରକାର ନୂଆ ବ୍ୟବସ୍ଥା ଲାଗୁ କରିବା ପରେ EPFO 3.0 ବ୍ୟବସ୍ଥାକୁ ତ୍ବରାନ୍ବିତ କରାଯାଇଛି ।
କେମିତି ହେବ ଟଙ୍କା ଉଠାଣ ?
ଇପିଏଫ୍ ସଦସ୍ୟ ବା ଯାହାର ୧୨ ସଂଖ୍ୟା ବିଶିଷ୍ଟ UAN ବା ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ସକ୍ରିୟ ରହିଛି । ସେହି ସଦସ୍ୟ ବ୍ୟାଙ୍କ ଏଟିଏମ୍ରୁ ଟଙ୍କା ଉଠାଣ କରିପାରିବେ । ସଦସ୍ୟଙ୍କ ଆକାଉଣ୍ଟରେ ଥିବା ଜମାରାଶିର ସର୍ବାଧିକ ୫୦ ପ୍ରତିଶତ ପର୍ଯ୍ୟନ୍ତ ଏଟିଏମ୍ରୁ ଟଙ୍କା ଉଠାଇ ପାରିବେ । ଏଥିପାଇଁ କୌଣସି ପ୍ରୋଭିଡେଣ୍ଡ ଫଣ୍ଡ କାର୍ଯ୍ୟାଳୟର ଅନୁମତି ନେବାକୁ ପଡ଼ିବନି । ଆସନ୍ତା ଜୁନ୍ ମାସରେ ଇପିଏଫଓ ସଦସ୍ୟଙ୍କୁ ସ୍ବତନ୍ତ୍ର ଇପିଏଫ୍ ଏଟିଏମ୍ କାର୍ଡ ସୁରକ୍ଷା ବ୍ୟବସ୍ଥା ସହିତ ଉପଲବ୍ଧ କରାଯିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ।
ନୂଆବ୍ୟବସ୍ଥା ଅନୁଯାୟୀ କୌଣସି ଇପିଏଫ ସଦସ୍ୟଙ୍କ ପ୍ରାଣହାନୀ ଘଟିଲେ ସେ କ୍ଷେତ୍ରରେ ସେମାନଙ୍କ ଆଇନଗତ ଉତ୍ତାରାଧିକାରୀଙ୍କ ମଧ୍ୟ ଆଉ ଇପିଏଫ୍ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବନି । ଏଥିପାଇଁ EPFO 3.0 ବ୍ୟବସ୍ଥା ଅନୁଯାୟୀ ନୂଆ କରି ଏମ୍ପ୍ଲଇଜ୍ ଡିପୋଜିଟ୍ ଲିଙ୍କଡ ଇନ୍ସୁରାନ୍ସ୍ EDLI ସ୍କିମ୍ ଲାଗୁ କରାଯାଇଛି । ଏଥିରେ ମୃତ ସଦସ୍ଯଙ୍କ ଉତ୍ତରାଧିକାରୀ ଆବଶ୍ୟକ କାଗଜପତ୍ର ଦାଖଲ କରିବା ପରେ ଏଟିଏମ୍ ଜରିଆରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇପାରିବେ । ଏବେ ପ୍ରୋଭିଡେଣ୍ଡ ଫଣ୍ଡ୍ ସଦସ୍ୟଙ୍କୁ ଟଙ୍କା ଉଠାଣ ପାଇଁ ଅନଲାଇରେ ଦାବିପତ୍ର ଦେବା ପରେ ଟଙ୍କା ପାଇବା ପାଇଁ ୭ରୁ ୧୦ ଦିନ ଲାଗୁଛି । ସଭ୍ୟଙ୍କ ଦେହାନ୍ତ ପରେ ସମ୍ପୂର୍ଣ୍ଣ ପେନସନ ଅର୍ଥ ଉତ୍ତରାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଯିବ । ତ୍ବରିତ ବେଗରେ ଇପିଏଫ୍ ମାମଲା ସମାଧାନ କରିବା ପାଇଁ ସାରା ଦେଶରେ CPPS ବ୍ୟବସ୍ଥା ପ୍ରଚଳନ କରାଯାଇଛି । ଏହି ବ୍ୟବସ୍ଥା ବଳରେ ଜଣେ ଇପିଏଫ୍ ସଦସ୍ୟ ତାଙ୍କ ଆକାଉଣ୍ଟରୁ ଦେଶର ଯେ କୌଣସି ବ୍ୟାଙ୍କ, ଶାଖା ଓ ଯେ କୌଣସି ଅଞ୍ଚଳରୁ ଟଙ୍କା ଉଠାଇପାରିବେ ।
ଇପିଏଫ୍ ବ୍ୟବସ୍ଥାରେ ସୁଧାରକୁ ସବୁ ମହଲରେ ସ୍ବାଗତ କରାଯାଇଛି । ଏଥିପାଇଁ ଜଣେ ସଦସ୍ୟ ତାର ଠିକଣା ଓ ସମ୍ପୂର୍ଣ୍ଣ କେଓ୍ବାଇସି ଅନଲାଇନ୍ ଜରିଆରେ ନିଜର ୟୁଏଏନ୍ ନମ୍ବର ଦ୍ବାରା ଲଗ୍ ଇନ୍ କରି ଅପଡେଟ୍ କରିବା ଆବଶ୍ୟକ ।