ବଡ଼ ଠକଙ୍କ ଫଟୋ ଜାରି କଲା EOW, ସୂଚନା ଦେଲେ ଗୋପନ ରହିବ ପରିଚୟ

1 min read

ଭୁବନେଶ୍ୱର: ଠକେଇ ମାମଲାରେ ତିନିଜଣ ଫେରାର ଅଭିଯୁକ୍ତଙ୍କ ଫଟୋ ଜାରି କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଚିଟଫଣ୍ଡ ମାମଲାରେ ସମ୍ପୃକ୍ତ ୩ ଫେରାର ଅଭିଯୁକ୍ତଙ୍କ ଫଟୋ ଇଓଡବ୍ଲୁ ଜାରି କରିଛି । ସେହପରି ଠକେଇ ମାମଲାରେ ଗୋଲ୍‌ଡେନ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରାଙ୍କୁ ମଧ୍ୟ ଖୋଜୁଛି ଇଓଡବ୍ଲୁ । ତାଙ୍କର ମଧ୍ୟ ଫଟୋ ଜାରି କରାଯାଇଛି । ଇଓଡବ୍ଲୁର ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ଅଛନ୍ତି ଆଦିତ୍ୟ ଦାସ ଓ ତ୍ରିବେଣୀ କୁମାର ମହାନ୍ତି । ସିଷ୍ଟମେଟିକ୍ସ ଫାଇନାନସିଆଲ ସର୍ଭିସ ଚିଟଫଣ୍ଡ ମାମଲାରେ ଇଓଡବ୍ଲୁର ୱାଣ୍ଟେଡ୍‌ ତାଲିକାରେ ଥିବା କମ୍ପାନୀ ନିର୍ଦ୍ଦେଶକ ଆଦିତ୍ୟ ଦାଶଙ୍କ ସମ୍ପର୍କରେ ସୂଚନା ଦେବାକୁ ଫଟୋ ଜାରି କରାଯାଇଛି ।

ପୁରୀ ଜିଲ୍ଲା ଚନ୍ଦନପୁରର ଆଦିତ୍ୟ । ଶେଷ ଥର ପାଇଁ ପୁରୀ ବାଲିସାହିରେ ତାଙ୍କୁ ଦେଖିବାକୁ ମିଳିଥିଲା । ଆଦିତ୍ୟ ଦାଶ 2013ରୁ ଫେରାର ଅଛନ୍ତି । ତାଙ୍କ ନାଁରେ eowରେ 20 କୋଟି ଟଙ୍କା ଠକେଇ ଅଭିଯୋଗ ଅଛି । ସେହିପରି ଷ୍ଟାର୍‌ କନସଲଟାନ୍ସି ସର୍ଭିସ ଚିଟଫଣ୍ଡ ମାମଲାରେ ୱାଣ୍ଟେଡ ତାଲିକାରେ ଥିବା ତ୍ରିବେଣୀ କୁମାର ମହାନ୍ତିଙ୍କ ସମ୍ପର୍କରେ ସୂଚନା ଦେବାକୁ ଫଟୋ ଜାରି କରାଯାଇଛି । ଭଦ୍ରକ ସାନଲପୁରର ତ୍ରିବେଣୀଙ୍କୁ ଶେଷଥର ପାଇଁ ଭୁବନେଶ୍ବର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରେ ଦେଖିବାକୁ ମିଳିଥିଲା । ତ୍ରିବେଣୀ ମହାନ୍ତି 2012ରୁ ଫେରାର ଅଛନ୍ତି । ତାଙ୍କ ନାଁରେ eowରେ 13 କୋଟି ଟଙ୍କା ଠକେଇ ଅଭିଯୋଗ ଅଛି ।

ସେହିପରି ଜ୍ୟୋତି ଟ୍ରେଡିଂ ଠକେଇ କେସରେ ୱାଣ୍ଟେଡ ଥିବା ଗୋଲ୍‌ଡେନ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରାଙ୍କୁ ମଧ୍ୟ ଖୋଜୁଛି ଇଓଡବ୍ଲୁ । ଗୋଲଡେନ ବାବାଙ୍କ ନାଁରେ 4 କୋଟି ଟଙ୍କା ଠକେଇ ଅଭିଯୋଗ ଅଛି । ଲୁହାପଥର କାରବାର ଠକେଇ ଅଭିଯୋଗ ଅଛି ଗୋଲଡେନ ବାବାଙ୍କ ନାଁରେ । ସେମାନଙ୍କ ବିଷୟରେ ସୂଚନା ଦେବାକୁ ଫଟୋ ଜାରି କରାଯାଇଥିବା ବେଳେ ସୂଚନା ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ ବୋଲି ସୂଚନା ଦିଆଯାଇଛି । ପୂର୍ବରୁ 3 ଅଭିଯୁକ୍ତଙ୍କ ବିରୋଧରେ nbw ଜାରି କରିଥିଲା eow ।

Leave a Reply