ପ୍ରକୃତ ଦରମା ଠାରୁ ଦୁଇଗୁଣାରୁ ଅଧିକ ଦର୍ଶାଇ ସାଲାରୀ ସ୍ଲିପ ଦାଖଲ କରିଛି ଇଷ୍ଟର୍ଣ୍ଣ ମିଡିଆ

ଭୁବନେଶ୍ବର: ସମ୍ବାଦ ବ୍ୟାଙ୍କ ସ୍କାମର ଦ୍ବିତୀୟ ଦିନ ଜେରାରେ ମହା ଖୁଲାସା କଲା ଇଓଡବ୍ଲୁ । ସୁଚିନ୍ତିତ ଓ ସଂଗଠିତ ବ୍ୟାଙ୍କ ସ୍କାମ କରିଛନ୍ତି ସମ୍ବାଦ କର୍ତ୍ତୃପକ୍ଷ । ବର୍ଷ ବର୍ଷ ଧରି ଏହି ସ୍କାମ ଚାଲିଛି । ଜେରା ସମୟରେ ସମ୍ବାଦ ଭବନରୁ ମିଳିଛି ଅନେକ ସନ୍ଦେହଜନକ ଦସ୍ତାବିଜ । ଯୋଜନାବଦ୍ଧ ଭାବେ ଏହି ସ୍କାମ କରିଛନ୍ତି ସମ୍ବାଦ କର୍ତ୍ତୃପକ୍ଷ । ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ପକ୍ଷରୁ ଅପରାଧିକ ମନୋବୃଦ୍ଧି ନେଇ କର୍ମଚାରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଠକାଯାଇଛି । ସୋମବାର ସମ୍ବାଦ କାର୍ଯ୍ୟାଳୟରେ ଇଓଡବ୍ଲୁ ଚଢାଉ କରି ପ୍ରାୟ ୭ ଘଣ୍ଟା ଧରି ତନାଘନା କରିଥିଲା ।

ଏଭିତରେ ସମ୍ବାଦ ସମ୍ପାଦକ ଓ ଏଚଆର ମୁଖ୍ୟଙ୍କ ବିରୋଧରେ ବହୁ ସାକ୍ଷୀଙ୍କୁ ଜେରା କରାଯାଇଛି । ସେମାନେ ନିଜ ଅଭିଯୋଗ ସମ୍ପର୍କିତ ସମସ୍ତ ପ୍ରମାଣ ଦାଖଲ କରିବା ସହ କିଭଳି କର୍ମଚାରୀଙ୍କୁ ଚାକିରି ଧମକ ଦେଇ ବେଆଇନ ଭାବେ ସେମାନଙ୍କ ନାଁରେ ଋଣ କରାଯାଇଥିଲା ସେ ସମ୍ପର୍କରେ ସବୁ ତଥ୍ୟ ରଖିଛନ୍ତି । ସମ୍ବାଦ ଭବନରୁ ଇଓଡବ୍ଲୁ ଏହି ବ୍ୟାଙ୍କ ସ୍କାମ ସମ୍ପର୍କିତ ଅନେକ ପ୍ରାମାଣଯୋଗ୍ୟ ଦସ୍ତାବେଜ ଜବତ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ୩୫୦ରୁ ଅଧିକ ସମ୍ବାଦ ଓ ଇଷ୍ଟର୍ଣ୍ଣ ମିଡିଆ କର୍ମଚାରୀଙ୍କ ନାଁରେ ଋଣ ଉଠାଯାଇଛି । ଓଡିଶା ଗ୍ରାମ୍ୟ ବ୍ୟାଙ୍କର ନୟାପଲ୍ଲୀ ଶାଖାରୁ ଏହି ଋଣ ଉଠାଯାଇଛି । ଏସବିଆଇ ଓ ଅନାନ୍ୟ ବ୍ୟାଙ୍କରୁ ହୋଇଥିବା ବେଆଇନ ଋଣ ବାବଦରେ ଏଯାଏଁ ତଦନ୍ତ ଆରମ୍ଭ ହୋଇନି ।

ତେଣୁ ଠକେଇର ଶିକାର ହୋଇଥିବା କର୍ମଚାରୀଙ୍କ ସଂଖ୍ୟା ଓ ଠକେଇର ପରିମାଣ ଆଶାଠାରୁ ଢେର ଅଧିକ ବୋଲି ସନ୍ଦେହ ହେଉଛି । ପ୍ରାୟ ସବୁ କର୍ମଚାରୀଙ୍କୁ ସମାନ ଢଙ୍ଗରେ ଋଣଜାଲରେ ଛନ୍ଦିଛନ୍ତି ସମ୍ବାଦ କର୍ତ୍ତୃପକ୍ଷ । ସବୁ କର୍ମଚାରୀଙ୍କ ନାଁରେ ୫ଲକ୍ଷ ଟଙ୍କାର ଋଣ କରାଯାଇଛି । ଘର ତିଆରି କିମ୍ବା ଘର ମରାମତି ନାଁରେ ଏହି ଋଣ ଉଠାଯାଇଛି । ଏଥିପାଇଁ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ବ୍ୟାଙ୍କରେ କର୍ମଚାରୀଙ୍କ ଜାଲ ସାଲାରୀ ସ୍ଲିପ ଦାଖଲ କରିଛନ୍ତି । ପ୍ରକୃତ ଦରମା ଠାରୁ ଦୁଇଗୁଣା କିମ୍ବା ତାଠାରୁ ଅଧିକ ଦର୍ଶାଇ ସାଲାରୀ ସ୍ଲିପ ଦାଖଲ ହୋଇଛି । ସମ୍ବାଦ କର୍ମଚାରୀ କେବଳ ଋଣ ଆବେଦନପତ୍ରରେ ଦସ୍ତଖତ କରିଛନ୍ତି । ଋଣ ନେଇ କର୍ମଚାରୀଙ୍କ ବଦଳରେ ଅନ୍ୟକେହି ଆବେଦନପତ୍ର ପ୍ରସ୍ତୁତ କରିଛନ୍ତି ଓ ପୂରଣ କରିଛନ୍ତି ।

କୌଣସି କର୍ମଚାରୀ କିନ୍ତୁ ଋଣ ଅର୍ଥରୁ ଟଙ୍କାଟିଏ ବି ପାଇନାହାଁନ୍ତି । ଲୋନ ମିଳିବା ପରେ ସମ୍ପୁର୍ଣ୍ଣ ରାଶିକୁ ବ୍ୟାଙ୍କରୁ କ୍ୟାସରେ ୱିଡ୍ର କରାଯାଇଛି । ଦରମା ଯେତିକି  ସେତିକି ଅର୍ଥ ଋଣ ବାବଦରେ ମାସିକ ଇଏମଆଇ ଦାଖଲ କରୁଥିଲେ ସମ୍ବାଦ କର୍ମଚାରୀ । କିଛି କର୍ମଚାରୀଙ୍କୁ ଦୁଇରୁ ତିନି ଥର ଋଣ କରିବାକୁ ବାଧ୍ୟ କରାଯାଇଥିଲା । କୌଣସି କର୍ମଚାରୀଙ୍କୁ ମାସିକ ସାଲାରୀ ସ୍ଲିପ ଦିଆଯାଉନଥିଲା । କର୍ମଚାରୀଙ୍କ ପାଇଁ ଇଷ୍ଟର୍ଣ୍ଣ ମିଡିଆ ଋଣ ବାବଦ ଇଏମଆଇ ଦାଖଲ କରୁଥିଲା । ପ୍ରତ୍ୟେକଟି ଋଣ ୬୦ଟି ଇନଷ୍ଟାଲମେଣ୍ଟରେ ଶୁଝାଯାଉଥିଲା । ସମ୍ବାଦ ଛାଡିବା ପରେ ମଧ୍ୟ କର୍ମଚାରୀଙ୍କ ନାଁରେ ଉଠାଯାଇଥିବା ଋଣ ଉପରେ ସମ୍ବାଦ ଇଏମଆଇ ଦାଖଲ କରିଛି । ସମ୍ବାଦରେ ଏଭଳି ବ୍ୟାଙ୍କ ସ୍କାମ ବର୍ଷ ବର୍ଷ ଧରି ଚାଲୁଛି । ଏହା ଏକ ସୁଚିନ୍ତିତ ଓ ସଂଗଠିତ ବ୍ୟାଙ୍କ ସ୍କାମ ବୋଲି କହିଛି ଇଓଡବ୍ଲୁ । ଏନେଇ ଅଧିକ ତଦନ୍ତ ଜାରି ରହିଛି ।