EOW ପଞ୍ଝାରେ ଜାଲ୍ କମ୍ପାନୀର ନିର୍ଦ୍ଦେଶକ

1 min read

ଭୁବନେଶ୍ୱର: ଇଓଡବ୍ଲୁ ପଞ୍ଝାରେ ଜାଲ୍ କମ୍ପାନିର ଜଣେ ନିର୍ଦ୍ଦେଶକ । 18football.com କମ୍ପାନିର ନିର୍ଦ୍ଦେଶକକୁ ଗିରଫ କରିଛି ଇଓଡବ୍ଲୁ । ଅନଲାଇନ ବେଟିଂ ଓ ପୁଞ୍ଜି ଠକେଇ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଏଡୁଡାଡି ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସଡ ଷ୍ଟଡିସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ନବୀନ ପୋରିଓ୍ବାରଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ରାଜସ୍ଥାନ ଉଦୟପୁରରୁ ଧରାପଡିଛି ଅଭିଯୁକ୍ତ । ଏହି କମ୍ପାନି ଜରିଆରେ ୧୧ କୋଟି ୭୪ ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାଯିବା ପରେ ଛାନବିନ ଚଳାଇଥିଲା ଇଓଡବ୍ଲୁ ।

କେବଳ ଏଡୁଡାଡି ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସଡ ଷ୍ଟଡିସ ପ୍ରାଇଭେଟ ଲିମିଟେଡ ନୁହେଁ, ସାଲିନଟେକ ସଫ୍ଟଓ୍ବେର ସଲ୍ୟୁସନସ ପ୍ରାଇଭେଟ ଲିମିଟେଡ, ଫ୍ରୁଡୋଟ ଟେକନୋଲୋଜିସ ପ୍ରାଇଭେଟ ଲିମିଟେଡ ଓ ଜେମଡଚ ସଫ୍ଟଓ୍ବେର ସଲ୍ୟୁସନସ ପ୍ରାଇଭେଟ ଲିମିଟେଡ ଜରିଆରେ ମଧ୍ୟ ବେଆଇନ ଅର୍ଥ କାରବାର ହୋଇଥିବା ଇଓଡବ୍ଲୁ ପ୍ରମାଣ ପାଇଥିଲା । ମୁଖ୍ୟ ଅଭିଯୁକ୍ତ ନବୀନ ପୋରିଓ୍ବାରର ଘର ଉଦୟପୁରରେ ହୋଇଥିବା ସତ୍ତ୍ବେ ତାର ସମସ୍ତ କମ୍ପାନି କେରଳରେ ପଞ୍ଜିକୃତ ହେବା ସହ ପ୍ରତିଷ୍ଠିତ ହୋଇଥିଲା ।

ତାକୁ ଗିରଫ କରାଯିବା ପରେ ଉଦୟପୁରର ଏକ କୋର୍ଟରେ ହାଜର କରାଯାଇଥିଲା ଏବଂ ତାକୁ ଓଡିଶା ଅଣାଯାଉଛି । ପୂର୍ବରୁ ଏହି ମାମଲାରେ ଦୁବାଇଭିତ୍ତିକ ପ୍ରମୋଟର ମହମ୍ମଦ ସୈଫ ବିରୋଧରେ ବି ଲୁକ ଆଉଟ ସର୍କୁଲାର ନୋଟିସ ଜାରି ହୋଇଥିଲା । ଏହି ମାମଲାରେ କୋଲକାତାର ମେସର୍ସ ହାକିମ ଆଣ୍ଡ ରୁସ୍ତମ ଫେବ୍ରିକ୍ସ ପ୍ରାଇଭେଟ ଲିମିଟେଡର ଦୁଇ ଜଣ ନିର୍ଦ୍ଦେଶକଙ୍କୁ ଗିରଫ କରାଯାଇଛି । ଗଞ୍ଜାମ ଜିଲ୍ଲାର ୮୦୦ରୁ ଅଧିକ କ୍ଷତିଗ୍ରସ୍ତ ଲୋକଙ୍କ ଦ୍ବାରା ଏଫଆଇର ରୁଜୁ ହେବା ପରେ ତଦନ୍ତ ଚଳାଇଥିଲା ଇଓଡବ୍ଲୁ ।