ଓଟିଡିସି ନାଁରେ ଠକେଇ ମାମଲାରେ ୨ ଜଣଙ୍କୁ ଗିରଫ କରିଛି EOW

ଭୁବନେଶ୍ୱର: ଓଟିଡିସି ନାଁରେ ଠକେଇ ମାମଲାରେ ଭୁବନେଶ୍ୱର ଓ କଟକରୁ ଦୁଇ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ଦୁଇ ଠକ ହେଲେ ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀ ଓ ବିଟେକ ଇଞ୍ଜିନିୟର ଚନ୍ଦନ ଆକାଶ ମହାନ୍ତି। ନିଜକୁ ଓଟିଡିସିର ଚେୟାରମ୍ୟାନ ଓ ଆସିଷ୍ଟାଣ୍ଟ ମ୍ୟାନେଜରର ପରିଚୟ ଦେଇ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ଧନୁର୍ଦ୍ଧର ଚମ୍ପତିରାୟଙ୍କ ଠାରୁ ୩ କୋଟି ଟଙ୍କା ଠକେଇ କରିଥିଲେ।

ଏହି ୨ ଜଣ ଓଟିଡିସି ନାଁରେ ମିଛ ୱାର୍କ ଅର୍ଡରରେ ଜାଲ ସିଲ ଓ ଦସ୍ତଖତ କରି କଣ୍ଟ୍ରାକ୍ଟର ଧନୁର୍ଧର ଚମ୍ପତି ରାୟଙ୍କୁ ଦେଇଥିଲେ। ଆଉ ଡିପୋଜିଟ ଆକାରରେ ୩ କୋଟି ଟଙ୍କା ଠକି ନେଇଥିଲେ। ଏହା ଜାଣିବା ପରେ ଓଟିଡିସି ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା । ୨୦୨୦ ମେ’ ମାସରେ ଆକାଶ ଚନ୍ଦନ ମହାନ୍ତିଙ୍କୁ ଜଣେ ସଂପର୍କୀୟ ବିଜୟାନନ୍ଦ ଚୌଧୁରୀ ଓରଫ ଶ୍ରୀ ସ୍ୱାମୀ ବିଜୟାନନ୍ଦ ମହାରାଜ ସହିତ ପରିଚୟ କରାଇଥିଲେ। ସେହି ସମୟରେ ବିଜୟାନନ୍ଦ ନିଜକୁ ଓଟିଡିସିର ଅଧ୍ୟକ୍ଷ ଓ ଆଇଟିଡିସିର ସଦସ୍ୟ ଭାବେ ଦର୍ଶାଇଥିଲେ ଏବଂ ବାବା ଚନ୍ଦନ ଆକାଶ ମହାନ୍ତିଙ୍କୁ ଓଟିଡିସିର ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ପରିଚୟ କରାଇଥିଲେ।

ଓଟିଡିସି ଅଧିକାରୀଙ୍କ ସିଲ୍ ଓ ହସ୍ତାକ୍ଷର ବ୍ୟବହାର କରି ବିଜୟାନନ୍ଦ ଓ ଚନ୍ଦନ ଉକ୍ତ ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ୩ କୋଟି ଟଙ୍କାର ବରକୁଳ ଓ ରମ୍ଭା ପାନ୍ଥନିବାସର କାମ ପାଇଁ ୨୩ଟି ମିଛ ୱାର୍କ ଅର୍ଡର କଣ୍ଟ୍ରାକ୍ଟରଙ୍କ ଠାରୁ ୩ କୋଟି ଟଙ୍କା ହାତେଇ ଥିଲେ । ସେଥିରୁ ୧.୧୪ କୋଟି ଟଙ୍କା ଚନ୍ଦନ ଆକାଶ ମହାନ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିଲା। ବାକି ଟଙ୍କା ଆତ୍ମଘୋଷିତ ବାବାଙ୍କ ଆକାଉଣ୍ଟକୁ ଯାଇଥିଲା। ତଦନ୍ତ ବେଳେ ଦୁଇ ଠକଙ୍କ କାରନାମା ଇଓଡବ୍ଳ୍ୟୁ ଜାଣିବାକୁ ପାଇଥିଲା।

Leave a Reply