ଝାରସୁଗୁଡ଼ାରେ ହେବ ଏଣ୍ଟରପ୍ରାଇଜ ଓଡିଶା ରୋଡ ଶୋ’, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ରାଉରକେଲା: ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଓ ସହଯୋଗରେ ଓଡିଶାରେ ଶିଳ୍ପର ଅଭିବୃଦ୍ଧି ହୋଇଛି । ପଶ୍ଚିମ ଓଡିଶାରେ ଅଧିକ ଶିଳ୍ପ ପ୍ରତିଷ୍ଠା ପାଇଁ ଯୁବ ଉଦ୍ୟୋଗକୁ କରାଯାଉଛି ଉତ୍ସାହିତ । ଏଥିପାଇଁ ଝାରସୁଗୁଡ଼ାରେ ପ୍ରଥମ ଥର ୩ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଯାଉଛି ଏଣ୍ଟରପ୍ରାଇଜ ଓଡିଶା ରୋଡ ଶୋ’ । ରାଉରକେଲାରେ ଏହାର ପ୍ରସ୍ତୁତି ବୈଠକ କରାଯାଇଛି । ଏଥିରେ ବହୁ ଉଦ୍ୟୋଗୀ ସାମିଲ ହୋଇଥିବାବେଳେ ଆସନ୍ତା ୧୯ ତାରିଖରେ ଏହାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ।
ଶିଳ୍ପ ସମୃଦ୍ଧ ହେଉଛି ଓଡ଼ିଶା । ବଢୁଛି ନିଯୁକ୍ତି ସୁଯୋଗ, ବଢୁଛି ରୋଜଗାର । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରୁ ଓଡ଼ିଶା ମୁହାଁ ଉଦ୍ୟୋଗୀ । ଯୁବଗୋଷ୍ଠୀଙ୍କୁ ଆଗକୁ ଆଣିବାକୁ ପ୍ରୟାସ । ଏମିତି ଏକ ଲକ୍ଷ୍ୟ ନେଇ ଝାରସୁଗୁଡ଼ାରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ଏଣ୍ଟରପ୍ରାଇଜ ଓଡ଼ିଶା ରୋଡ଼ ଶୋ’ । ଆସନ୍ତା ୧୯ରୁ ୨୧ ତାରିଖ ଯାଏଁ ୩ ଦିନ ବ୍ୟାପୀ ଆୟୋଜିତ ହେବ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବାକୁ ଥିବାବେଳେ ରାଉରକେଲାରେ ଏହାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ହକି ଭିଲେଜରେ ଅନୁଷ୍ଠିତ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ବହୁ ଶିଳ୍ପପତି ଓ ଯୁବ ଉଦ୍ୟୋଗୀ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ, ଶିଳ୍ପପତି, ଉଦ୍ୟୋଗୀ, ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପଶ୍ଚିମ ଓଡିଶାରେ ବିଜୁ ଏକ୍ସପ୍ରେସ ଓ୍ବେ ନିର୍ମାଣ କରାଯିବା ସହ ବିଜୁ ଇକୋନୋମିକ କରିଡର ନିର୍ମାଣ କରାଯାଇଛି । ଏହାସହ ରାଜ୍ୟ ସରକାର ସମସ୍ତ ସହାୟତା ଯୋଗାଇ ଦେଇଥିବାରୁ କଳ କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ରାଉରକେଲା ପାନ୍ଥନିବାସ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫୦ କୋଟି ଟଙ୍କା ବ୍ୟୟରେ ୧୧ ମହଲାର ଆଇଟି ଟାଓ୍ବାର ନିର୍ମାଣ ହେଉଛି । ଏହାଦ୍ବାରା ନିଯୁକ୍ତି ସୁଯୋଗ ବଢୁଥିବାରୁ ଯୁବ ଉଦ୍ୟୋଗୀ ବି ବେଶ ଉତ୍ସାହିତ ଅଛନ୍ତି ।
ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧି ହେବା ସହ ୧୩ଟି ସ୍ଥାନରେ ଆଇଟି ଟାୱାର ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିବାରୁ ଉଦ୍ୟୋଗୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।