ବସରେ ପ୍ରଥମ ମହିଳା ଯାତ୍ରୀ ଚଢ଼ିଲେ ହେଉଛି ଦୁର୍ଘଟଣା! ସଚେତନତା ପାଇଁ ଅଣ୍ଟା ଭିଡ଼ିଲେ ମହିଳା କମିଶନର

ଭୁବନେଶ୍ୱର: ବସରେ ପ୍ରଥମ ମହିଳା ଯାତ୍ରୀ ଚଢ଼ିଲେ ହେଉଛି ଦୁର୍ଘଟଣା! କାହିଁକି ଇଞ୍ଜିନ ଉପରେ ବସିବାକୁ ମହିଳାଙ୍କୁ ମନା ? ବସ୍ କର୍ମଚାରୀ ଓ ମାଲିକଙ୍କ କଥା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ । ଶୁଣନ୍ତୁ କ’ଣ କହୁଛନ୍ତି ସେମାନେ…

ବସ ଯାତ୍ରା ଆରମ୍ଭ କରିବା ବେଳେ ଯଦି ପ୍ରଥମ ଯାତ୍ରୀ ଭାବେ ଜଣେ ମହିଳା ଉଠନ୍ତି, ତେବେ ମା’ କାଳୀ କୋପ କରିବେ । ଗାଡିର ଚକା ଫାଟିବ, ଦୁର୍ଘଟଣା ହେବ । ବସ କର୍ମଚାରୀ ଓ ମାଲିକ ଏଭଳି ଅନ୍ଧବିଶ୍ୱାସର କବଳିତ ହେବା ହୋଇ ମହିଳାଙ୍କୁ ଅପମାନିତ କରିବା ଘଟଣାକୁ ରାଜ୍ୟ ମହିଳା କମିଶନଙ୍କ ସାମ୍ନାକୁ ଆଣିଛନ୍ତି ସାମାଜିକ କର୍ମୀ ଘାସିରାମ ପଣ୍ଡା । ଏଭଳି କୁଶ୍ଚିତ ଘଟଣା ଘଟୁଥିବା ନେଇ ପ୍ରମାଣ ପାଇବା ପରେ ପରିବହନ କମିଶନରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ମହିଳା କମିଶନ । ତୁରନ୍ତ ଗାଡ଼ିରେ ସଚେତନତା ମୂଳକ ପୋଷ୍ଟର ଲଗାଇବା ସହ ସରପ୍ରାଇଜ ଚେକିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏଭଳି ନିଷ୍ପତ୍ତିକୁ ମାନିବାକୁ ନାରାଜ ବସ କର୍ମଚାରୀ । ତାଙ୍କର କହିବା କଥା ମୁତାବକ ଋତୁସ୍ରାବ ଯୋଗୁଁ ମହିଳା ପ୍ରଥମେ ଗାଡ଼ିରେ ଚଢ଼ିଲେ ବିଘ୍ନ ଘଟିବାର ଅନେକ ଉଦାହରଣ ରହିଛି । ତେଣୁ ଏଭଳି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ଦରକାର। ସେପଟେ ମହିଳା ଯାତ୍ରୀଙ୍କର କହିବା କଥା ହେଉଛି ଅନେକ ସମୟରେ ସେମାନଙ୍କୁ ଅପମାନିତ କରାଯାଉଛି । ଯଦି ଟ୍ରେନରେ ଲୋକ ପାଇଲଟ ମହିଳା ରହି ପାରୁଛନ୍ତି, ଫ୍ଲାଇଟରେ ପାଇଲଟ ମହିଳା ରହୁଛନ୍ତି ତେବେ ବସରେ ପ୍ରଥମ ଯାତ୍ରୀ କାହିଁକି ଜଣେ ମହିଳା ହୋଇପାରିବେନି ?