ମାନବାଧିକାରକୁ ଗୁରୁତ୍ୱ; ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଥାନାଠୁ ଆରମ୍ଭ କରି CBI-NIA ପର୍ଯ୍ୟନ୍ତ ସବୁଠି ସିସି କ୍ୟାମେରା…

1 min read

ନୂଆଦିଲ୍ଲୀ: ସବୁ ରାଜ୍ୟର ସବୁ ସିବିଆଇ, ଇଡି ଓ ଏନଆଇଏ କାର୍ଯ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆର୍ ଏଫ୍ ନରିମନଙ୍କ ଖଣ୍ଡପୀଠ ଆଜି ଏଭଳି ଶୁଣାଣି କରିଛି । ଏହି ନିର୍ଦ୍ଦେଶ କେବଳ ରାଜ୍ୟଗୁଡିକଙ୍କ କ୍ଷେତ୍ରରେ ସୀମିତ ନୁହେଁ । କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମଧ୍ୟ ଏହି ନିର୍ଦ୍ଦେଶ ଲାଗୁ ହେବ । ଦେଶର ପ୍ରତିଟି ପୋଲିସ ଷ୍ଟେସନରେ ଏହି ସୁବିଧା ରହିଥିବା ଆବଶ୍ୟକ । କରିଡରଠାରୁ ଆରମ୍ଭ କରି ପୋଲିସ ଷ୍ଟେସନ ଭିତରେ ଥିବା କୋଠରୀରେ ମଧ୍ୟ ସିସିଟିଭି ସୁବିଧା ରହିବା ଆବଶ୍ୟକ ।

ସେହିଭଳି ମୁଖ୍ୟ ଫାଟକ ଓ ଫେରନ୍ତା ରାସ୍ତାରେ ମଧ୍ୟ ସିସିଟିଭି ରହିବ । ସୁପ୍ରିମକୋର୍ଟର ଏହିଭଳି ନିଷ୍ପତ୍ତି ଆସିବା ପଛରେ ଏକ ବଡ ମହତ ଉଦ୍ଦେଶ୍ୟ ରହିଛି । ସୁରକ୍ଷା ଯାଞ୍ଚକାରୀ ସଂସ୍ଥାମାନେ ଦେଶରେ ଯେପରି ମନମୁଖୀ ଭାବେ କାର୍ଯ୍ୟ ନକରିବେ ସେଥି ପାଇଁ ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଜେରା ବେଳେ ମାନବାଧିକାର ଉଲଙ୍ଘନ ହେବା ନେଇ ବାରମ୍ୱାର ଅଭିଯୋଗ ହେଉଛି ।

ଏସବୁ ଅଭିଯୋଗ, ସତ୍ୟାସତ୍ୟ ନେଇ ପ୍ରମାଣ ନାହିଁ । ମାତ୍ର ଯଦି ଏହା ସତ ହୁଏ ତେବେ ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରର ମୂଲ୍ୟବୋଧ କମିବ । ଏଣୁ ସବୁ ସୁରକ୍ଷା ଯୋଗାଉଥିବା ସଂସ୍ଥା ଉପରେ ସିସିଟିଭି ନଜର ରହିବା ଉଚିତ୍ । ସେହିଭଳି ସିସିଟିଭି ଫୁଟେଜରେ ସାଉଣ୍ଡ ଫିଚର ଓ ନାଇଟ୍ ଫିଚର ମଧ୍ୟ ରହିବା ନେଇ କେନ୍ଦ୍ର ସରକାର ନିଶ୍ଚିତ କରିବା ଦରକାର ।

ଏସବୁ ତଥ୍ୟ ସର୍ବାଧିକ ସମୟ ସୀମା ପର୍ଯ୍ୟନ୍ତ ସଂରକ୍ଷିତ ହୋଇ କିଭଳି ରହିବ ତାହା ଉପରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ ।  ଅନ୍ୟପକ୍ଷରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ, ଜାତୀୟ ଅନୁସନ୍ଧାନ ଏଜେନ୍ସି, ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ରାଜସ୍ୱ ଗୁପ୍ତଚର ବିଭାଗ, ଗୁରୁତର ଜାଲିଆତି କାର୍ଯ୍ୟାଳୟ (SFIO) ଇତ୍ୟାଦି ସଂସ୍ଥା ପାଖରେ ତୁରନ୍ତ ଜେରା ଓ ଗିରଫର କ୍ଷମତା ରହିଛି  । ତେଣୁ ଏମାନଙ୍କ କ୍ଷେତ୍ରରେ ଏହି ପ୍ରାବଧାନ କଡ଼ାକଡି ଭାବେ ପାଳନ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ପ୍ରତି ଜେରାର ରେକଡିଂ ଏହି ସଂସ୍ଥା ପାଖରେ ରହିବା ଅନିର୍ବାଯ୍ୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Leave a Reply