ଦିନିକିଆ କ୍ରିକେଟରୁ ବେନ୍ ଷ୍ଟୋକ୍ସଙ୍କ ଅବସର ଘୋଷଣା

1 min read

ଲଣ୍ଡନ: ଇଂଲଣ୍ଡର ଷ୍ଟାର କ୍ରିକେଟର ବେନ୍ ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଶେଷ ଦିନିକିଆ ମ୍ୟାଚ୍ ଖେଳିବେ । ୩୧ ବର୍ଷୀୟ ବେନ୍ ଷ୍ଟୋକ୍ସ ଅବସର ସମ୍ବନ୍ଧିତ ଏକ ପୋଷ୍ଟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଲେଖିଛନ୍ତି, ମୁଁ ଇଂଲଣ୍ଡ ପାଇଁ ମଙ୍ଗଳବାର ଦିନିକିଆ କ୍ରିକେଟରେ ନିଜର ଶେଷ ମ୍ୟାଚ ଖେଳିବି । ଏହି ଫର୍ମାଟରୁ ସନ୍ୟାସ ନେବା ପାଇଁ ନିଷ୍ପତ୍ତି ନେଇଛି ।

ଏହା ମୋ ପାଇଁ ନିଶ୍ଚିତ ଭାବେ କଠିନ ନିଷ୍ପତ୍ତି ଥିଲା । ଇଂଲଣ୍ଡ ପାଇଁ ସାଥିମାନଙ୍କ ସହ ଖେଳିବାର ପ୍ରତି ମୂହୁର୍ତ୍ତର ମଜା ନେଇଛି । ମୋ ପାଇଁ ଯାତ୍ରା ଭଲ ଥିଲା । ଏହି ଫର୍ମାଟରେ ଦଳ ପାଇଁ ୧୦୦ ପ୍ରତିଶତ ଦେଇପାରିନାହିଁ । ଏହି କାରଣରୁ ଗୋଟେ ଫର୍ମାଟରୁ ଅବସର ନେବାକୁ ପଡୁଛି । ଚେଷ୍ଟା କରିବି ଟେଷ୍ଟ ଓ ଟି-୨୦ ଭଲ ପ୍ରଦର୍ଶନ କରିବା ପାଇଁ । ଇଂଲଣ୍ଡର ସମ୍ମାନ ପାଇଁ ଯୋଗଦାନ ଦେବାକୁ ଚେଷ୍ଟା କରିବି ।

ଷ୍ଟୋକ୍ସ ଦିନିକିଆ କ୍ୟାରିଅର କଥା ଦେଖିବାକୁ ଗଲେ ତେବେ ସେ ଇଂଲଣ୍ଡ ପାଇଁ ଆୟରଲ୍ୟାଣ୍ଡ ବିପକ୍ଷ ୨୦୧୧ରେ ଡେବ୍ୟୁ କରିଥିଲେ । ୨୦୧୯ ବିଶ୍ୱକପରେ ତାଙ୍କ ଯୋଗଦାନ ବେସ୍ ପ୍ରଶଂସନୀୟ ଥିଲା । ନ୍ୟୁଜଲାଣ୍ଡ ବିପକ୍ଷ ଫାଇନାଲ୍ ମ୍ୟାଚରେ ଅପରାଜିତ ରହି ୮୪ ରନ୍ ବଳରେ ମ୍ୟାଚକୁ ପ୍ରଥମେ ଟାଏ କରିଥିଲେ । ଏହାପରେ ସୁପର ଓଭରରେ ଇଂଲଣ୍ଡ ନିଜର ପ୍ରଥମ ଦିନିକିଆ ବିଶ୍ୱକପ୍ ଜିତିଥିଲା । ତାଙ୍କର ଭଲ ପ୍ରଦର୍ଶନ ପାଇଁ ଫାଇନାଲ୍ ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ସେ ଇଂଲଣ୍ଡ ପାଇଁ ୧୦୪ ଦିନିକିଆ ମ୍ୟାଚ ଖେଳିଛନ୍ତି । ଏଥିରେ ୩୯.୪୫ ଆଭାରେଜରେ ୨୯୧୯ ରନ୍ ସଂଗ୍ରହ କରିଛନ୍ତି । ୮୭ଟି ଇନିଂସରେ ୪୧.୭୯ ଆଭେରେଜରେ ୭୪ ୱିକେଟ୍ ନେଇଛନ୍ତି । ଇକୋନମି ରେଟ ମଧ୍ୟ ୬.୦୩ ରହିଥିଲା ।