ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ; ଶୋଚନୀୟ ଭାବେ ପରାଜିତ ହେଲା ଭାରତ

1 min read

ବର୍ମିଂହାମ: ବର୍ମିଂହାମର ଏଜବାଷ୍ଟନ ଷ୍ଟାଡିୟମରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟ ମ୍ୟାଚରେ ଭାରତର ଶୋଚନୀୟ ପରାଜୟ ଘଟିଛି । ୭ ୱିକେଟରେ ପରାଜିତ ହୋଇଛି  ଭ୍ରମଣକାରୀ ଟିମ ଇଣ୍ଡିଆ । ଘରୋଇ ଇଂଲଣ୍ଡ ଚତୁର୍ଥ ଇନିଂସରେ ୩୭୮ ରନର ସ୍କୋରକୁ ସହଜରେ ହାସଲ କରି ବିଜୟୀ ହୋଇଛି । ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ୍  ୨-୨ରେ ବରାବର ହୋଇଛି । ୧୫ ବର୍ଷ ପରେ ଇଂଲଣ୍ଡରେ ଟେଷ୍ଟ ସିରିଜ ଜିତିବାର ଯେଉଁ ସ୍ୱପ୍ନ ଦେଖିଥିଲା ଟିମ ଇଣ୍ଡିଆ ତାହା ଭାଙ୍ଗିଯାଇଛି । ୩୭୮ ରନ୍ ର ପିଛା କରି ପଡିଆକୁ ଓହ୍ଲାଇଥିବା ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍ ଏବଂ ଜନି ବେୟାରଷ୍ଟୋ ଆକର୍ଷଣୀୟ ଇନିଂସ ଖେଳିଛନ୍ତି । ଦୁଇ ବ୍ୟାଟ୍ସମ୍ୟାନ ଶତକ ହାସଲ ସହ ଦଳକୁ ବିଜୟ ଦେଇଛନ୍ତି । ଜୋ ରୁଟ୍ ୧୪୨ ରନ୍ ଏବଂ ବେୟାରଷ୍ଟୋ ୧୧୪ ରନ୍ କରି ନଟଆଉଟ ରହିଥିଲେ । ଦୁଇ ଜଣଙ୍କ ଧୂଆଁଧାର ଇନିଂସ ବଳରେ ଇଂଲଣ୍ଡ କେବଳ ୭୭ ଓଭରରେ ହିଁ ୩୭୮ ରନ୍ ଲକ୍ଷ୍ୟକୁ ହାସଲ କରିନେଇଛି ।

ତେବେ ଏହା ପ୍ରଥମ ଥର ପାଇଁ ଘଟିଛି ଯେତବେଳେ ଭାରତ ବିରୋଧୀ ଦଳକୁ ୩୫୦ରୁ ଅଧିକ ରନ୍ ଟାର୍ଗେଟ ଦେଇଛି ଏବଂ ମ୍ୟାଚ ମଧ୍ୟ ହାରିଯାଇଛି  । ପ୍ରଥମ ଇନିଂସରେ ଭାରତ ୪୧୬ ରନ୍ କରିଥିଲା ଏବଂ ଦ୍ୱିତୀୟ ଇନିଂସରେ ୨୪୫ ରନ୍ କରିଥିଲା  । ଇଂଲଣ୍ଡ ପ୍ରଥମ ଇନିଂସରେ ୨୮୪ ରନ୍ କରିଥିଲା ଏବଂ ଭାରତ ତା ଆଗରେ ୩୭୮ ରନର ଲକ୍ଷ୍ୟ ରଖିଥିଲା । ହେଲେ ମାତ୍ର ତିନି ୱିକେଟ ହରାଇ ଇଂଲଣ୍ଡ ଏହି ମ୍ୟାଚଟିକୁ ନିଜ କବଜାକୁ ନେଇଯାଇଥିଲା । ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲରଙ୍କ ଯାଦୁ କାମ କରିନଥିଲା । କେହି ହେଲେ ଦୁଇ ଶତକୀୟ ବ୍ୟାଟ୍ସମ୍ୟାନଙ୍କ ୱିକେଟ ନେବାରେ ସଫଳ ହୋଇନଥିଲେ । ଦୁଇଜଣ ୩୧୬ ବଲ ଖେଳି ୨୬୯ରନର ବଡ ଇନିଂସ ଖେଳିଛନ୍ତି ।

ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ନଟିଂହମରେ ଖେଳାଯାଇଥିଲା ଏବଂ ଏହା ଡ୍ର ହୋଇଥିଲା । ଲର୍ଡସ ଦ୍ୱିତୀୟ ମ୍ୟାଚରେ ଭାରତ ୧୫୧ରନରେ ବିଜୟୀ ହୋଇଥିଲା । ସେହିପରି ତୃତୀୟ ଲିଡସ ମ୍ୟାଚରେ ଇଂଲଣ୍ଡ ଇନିଂସ ଏବଂ ୭୬ ରନରେ ବିଜୟୀ ହୋଇଥିଲା । ଦ ଓଭାଲରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ଭାରତ ୧୫୭ ରନରେ ଜିତିଥିଲା  । ପଞ୍ଚମ ଏଜବାଷ୍ଟନ ଟେଷ୍ଟ ମ୍ୟାଚ ୭ ୱିକେଟରେ ଇଂଲଣ୍ଡ ଜିତିଛି  । ଦୁଇଟି ଲେଖାଏଁ ବିଜୟ ସହ ସିରିଜ ମଧ୍ୟ ୨-୨ରେ ବରାବର ବଣ୍ଟା ହୋଇଛି ।

ଭାରତ ପ୍ରଥମ ଇନିଂସ-୪୧୬ ରନ୍, ଋଷଭ ପନ୍ତ ୧୪୬ ରନ୍, ଜାଡେଜା ୧୦୪ ରନ୍

ଇଂଲଣ୍ଡ ପ୍ରଥମ ଇନିଂସ- ୨୮୪ ରନ୍, ଜନି ବେୟାରଷ୍ଟୋ ୧୦୬ ରନ୍

ଭାରତ ଦ୍ୱିତୀୟ ଇନିଂସ- ୨୪୫ ରନ୍, ଚେତେଶ୍ୱର ପୂଜାରା ୬୬ ରନ୍, ଋଷଭ ପନ୍ତ ୫୭ ରନ୍

ଇଂଲଣ୍ଡ ଦ୍ୱିତୀୟ ଇନିଂସ- ୩୭୮/୩ ରନ୍, ଜୋ ରୁଟ ୧୪୨ ରନ୍ , ଜନି ବେୟାରଷ୍ଟୋ ୧୧୪ ରନ୍