ଭାରତ-ଇଂଲଣ୍ଡ ଶେଷ ଦିନିକିଆ ମ୍ୟାଚ୍: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି

1 min read

ଲଣ୍ଡନ: ଆଜି ଭାରତ-ଇଂଲଣ୍ଡ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ କିଛି ସମୟ ମଧ୍ୟରେ ଆରମ୍ଭ ହେବ । ମଞ୍ଚେଷ୍ଟରରେ ଅପରାହ୍ମ ସାଢେ ତିନିଟାରେ ବଲ୍ ପଡ଼ିବ । ଆଜିର ମ୍ୟାଚରେ ଭାରତ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଆଜିର ମ୍ୟାଚ ପୂର୍ବରୁ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ପୂର୍ବ ମ୍ୟାଚରେ ଆମର ସାମାନ୍ୟ ଭୁଲ୍ ପାଇଁ ଆମେ ପରାଜୟର ସାମ୍ନା କଲୁ । ବୋଲିଂ ଠିକ୍ ଥିଲା ମାତ୍ର ବ୍ୟାଟିଂରେ ବିପର୍ଯ୍ୟୟ ହୋଇଥିଲା । ପରାଜିତ ମ୍ୟାଚରୁ ଅନେକ କିଛି ଶିଖିବାକୁ ମିଳିଛି । ଜଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦିଆଯାଇଛି ତାଙ୍କ ସ୍ଥାନରେ ମହମ୍ମଦ ସିରାଜ ଖେଳୁଛନ୍ତି । ଯେହେତୁ ଏହି ମ୍ୟାଚ ଆମ ପାଇଁ ନିର୍ଣ୍ଣାୟକ ସମ୍ପୂର୍ଣ୍ଣ ପ୍ରଚେଷ୍ଟା କରିବୁ । ୩ଟିକିଆ ସିରିଜରେ ଗୋଟିଏ ଲେଖାଏ ମ୍ୟାଚ୍ ଜିତି ଏବେ ସମାନ ସ୍ଥିତିରେ ଅଛନ୍ତି ଉଭୟ ଟିମ୍ ।

ପ୍ରଥମ ମ୍ୟାଚକୁ ଭାରତ ସହଜରେ ବିଜୟ ଲାଭ କରିଥିବାବେଳେ ଦ୍ୱିତୀୟ ମ୍ୟାଚରେ ୧୦୦ ରନରେ ପରାଜିତ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ତେବେ ଆଜିର ମ୍ୟାଚ ଜିତି ସିରିଜ୍ ଜିତିବାକୁ ହେଲେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ନିଜ ବ୍ୟାଟିଂରେ ପରିବର୍ତ୍ତନ ଆଣିବାକୁ ହେବ । ଅନ୍ୟପକ୍ଷରେ ଟି-୨୦ ସିରିଜ୍ ପରାଜୟ ବରଣ କରିବା ପରେ ଆଜିର ମ୍ୟାଚ ଜିତି ଦିନିକିଆ ସିରିଜ୍ ହାତେଇବାକୁ ଚେଷ୍ଟା କରିବ ଘରୋଇ ଇଂଲଣ୍ଡ । ସେହିପରି ଗତ କିଛି ମ୍ୟାଚ୍ ଭଳି ରବିବାରର ମ୍ୟାଚ୍ ମଧ୍ୟ ବ୍ୟକ୍ତିଗତ ଭାବେ କୋହଲିଙ୍କ ପାଇଁ ଢେର ମହତ୍ତ୍ୱ ରଖିବ । ଏହାଛଡ଼ା ବାମହାତୀ ବୋଲର ଭାବେ ରବୀନ୍ଦ୍ର ଜାଡେଜାଙ୍କୁ ନିଜ ପ୍ରଦର୍ଶନରେ ଆହୁରି ଉନ୍ନତି ଆଣିବାକୁ ହେବ ।

ଇଂଲଣ୍ଡ: ଜେସନ ରୟ, ଜନି ବେୟାରଷ୍ଟୋ, ଜୋ ରୁଟ୍, ବେନ ଷ୍ଟୋକ୍ସ, ଜୋସ ବଟଲର (ଅଧିନାୟକ/ୱିକେଟକିପର), ଲିଆମ ଲିଭିଙ୍ଗଷ୍ଟୋନ, ମୋଇନ ଅଲି, କ୍ରେଗ ଓଭରଟନ, ଡେଭିଡ ୱିଲି, ବ୍ରାଇଡନ କାର୍ସ, ରିସି ଟପ୍ଲେ  ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧୱନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ମହମ୍ମଦ ସିରାଜ, ଯୁଜବେନ୍ଦ୍ର ଚହଲ, ପ୍ରସିଦ୍ଧ କ୍ରୀଷ୍ଣା  ।