ଚର୍ଚ୍ଚାରେ ଇଞ୍ଜିନିୟର୍ସ ଠେଲା, ଅଫିସ୍‌ ସରିବା ପରେ ଠେଲାରେ ଫାଷ୍ଟ ଫୁଡ୍‌ ବିକୁଛନ୍ତି ଇଞ୍ଜିନିୟର

Engineers Thela

ମାଲକାନଗିରି: ଜିଲ୍ଲା ମହକୁମାରେ ଇଞ୍ଜିନିୟର୍ସ ଠେଲା । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ଇଞ୍ଜିନିୟର୍ସ ଠେଲା । ନାଁ ଶୁଣିଲେ ତାଜୁବ ଲାଗୁଥିବା ନିଶ୍ଚୟ । ଭାବୁ ଥିବେ ଇଞ୍ଜିନିୟର୍ସଙ୍କ ଠେଲା ପୁଣି କ’ଣ ? ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ବନ୍ଧୁଙ୍କ ଠେଲା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ସୁମିତ କୁମାର ସାମଲ ଓ ପ୍ରିୟମ ବେବର୍ତ୍ତା । ଉଚ୍ଚ ଶିକ୍ଷିତ ହୋଇଥିଲେ ବି ଏକ ଠେଲା ଗାଡ଼ି କରି ରୋଜଗାର କରୁଛନ୍ତି ।

ଉଭୟ ସୁମିତ ଓ ପ୍ରିୟମ ଦୁଇ ଇଞ୍ଜିନିୟର । ତାଙ୍କ ଠେଲାରେ କୌଣସି ଇଞ୍ଜିନିୟରଙ୍କ ସାମଗ୍ରୀ ବିକ୍ରି ହୁଏ ନାହିଁ, ବରଂ ଫାଷ୍ଟଫୁଡ୍ ଖାଦ୍ୟ ବିକ୍ରି ହୁଏ । ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ଜିଲ୍ଲାପାଳଙ୍କ ଅଫିସ୍ ନିକଟରେ ସେମାନେ ଏହି ଇଞ୍ଜିନିୟର୍ସ ଠେଲା ଲଗାଇଛନ୍ତି । ସିଭିଲ୍ ଇଞ୍ଜିନିୟର ସୁମିତ ସାମଲ ଓ ମେକାନିକାଲ ଇଂଜିନିୟର ପ୍ରିୟମ ବେବର୍ତ୍ତା । ଅଫିସ୍ ଶେଷ ହେବା ପରେ ସଂଧ୍ୟା ସମୟରେ ଫାଷ୍ଟଫୁଡ୍‌ ସହ ବିଭିନ୍ନ ପ୍ରକାର ବ୍ୟଞ୍ଜନର ସମ୍ଭାର ଲଗାଇ ବିକ୍ରି କରୁଛନ୍ତି ଦୁଇ ବନ୍ଧୁ । ଯାହାକୁ ଅତି ଆନନ୍ଦରେ ଖାଉଛନ୍ତି ଗ୍ରାହକ ।

ସୁସ୍ୱାଦୁ ଖାଦ୍ୟ ପରଶୁ ଥିବାରୁ ଇଞ୍ଜିନିୟର୍ସ ଠେଲାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ । ଲୋକେ ଫାଷ୍ଟଫୁଡ୍ ଖାଇବାକୁ ଧାଡି ଲାଗୁଥିବା ମଧ୍ୟ ଦେଖାଯାଇଛି । ତେବେ ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ କୌଣସି କାମ ଛୋଟ କିମ୍ବା ବଡ଼ ନୁହେଁ ବୋଲି କହିଛନ୍ତି ଦୁଇ ଯୁବ ଇଞ୍ଜିନିୟର । କାର୍ଯ୍ୟରେ ନିଷ୍ଠାପରତା ମଣିଷକୁ ସଫଳତାର ବାଟ ଦେଖାଇଥାଏ । ଯାହାକୁ ଏହି ଦୁଇ ବନ୍ଧୁ ପ୍ରମାଣିତ କରିଥିବା ବେଳେ ଆନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

Leave a Reply