ପାଣି ବୋତଲ ନେଲା ଇଂଜିନିୟରଙ୍କ ଜୀବନ

ନୂଆଦିଲ୍ଲୀ: ଛୋଟ ଭୁଲ ବଡ଼ ସମସ୍ୟା ସୃଷ୍ଟି କରିପାରେ । ଏମିତି କି ଜୀବନ ବି ଯାଇପାରେ । ଏହି ଯେମିତି ଏକ ପାଣି ବୋତଲ ପାଇଁ ଦିଲ୍ଲୀର ଜଣେ ଯୁବ ଇଂଜିନିୟରଙ୍କ ଜୀବନ ଚାଲି ଯାଇଛି । ମୃତ ଇଂଜିନିୟର ହେଲେ ଅଭିଷେକ ଝା । ତାଙ୍କ ବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଅଭିଷେକ ସାଙ୍ଗମାନଙ୍କ ସହ ଗ୍ରେଟର ନୋଇଡ଼ା ଆଡ଼କୁ କାରରେ ଯାଉଥିଲେ । ଏହି ସମୟରେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ସହ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଅଭିଷେକଙ୍କ ମୃତ୍ୟୁ ଘଟିଥିବା ବେଳେ ସାଙ୍ଗକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ତଦନ୍ତରୁ ଜଣାପଡ଼ିଛି, କାରରେ ଥିବା ପାଣି ବୋତଲ ଦୁର୍ଘଟଣା ପାଇଁ ଦାୟୀ । ପୋଲିସ କହିବା ଅନୁସାରେ, ଅଭିଷେକ ଗାଡ଼ି ଚଲାଉଥିବା ବେଳେ ସିଟ ପଛରେ ଥିବା ପାଣି ବୋତଲ ଗଡ଼ି ତାଙ୍କ ଗୋଡ଼ ପାଖକୁ ପଳାଇ ଆସିଥିଲା । ରାସ୍ତାରେ ଟ୍ରକକୁ ଦେଖି ଅଭିଷେକ ଯେତେବେଳେ ବ୍ରେକ୍ ମାରିବାକୁ ଚେଷ୍ଟା କରିଥିଲେ ବେ୍ରକ୍ ଲାଗି ନଥିଲା ଓ ଦୁର୍ଘଟଣା ହୋଇଯାଇଥିଲା । କାରଣ ପାଣି ବୋତଲଟି ଗଡ଼ି ବ୍ରେକ୍ ତଳେ ଲାଗି ଯାଇଥିଲା । ସେହି କାରଣରୁ ବ୍ରେକ୍ ଲାଗି ନଥିଲା ।

Leave a Reply