ମସ୍କଙ୍କ ବଡ଼ ଘୋଷଣା, ଟ୍ୱିଟର ବ୍ୟବହାର କରିବାକୁ ହେଲେ ଦେବାକୁ ପଡ଼ିବ ଟଙ୍କା

1 min read

ନ୍ୟୁୟର୍କ: ଟ୍ୱିଟର ବ୍ୟବହାର କରିବାକୁ ହେଲେ ଦେବାକୁ ପଡ଼ିବ ଟଙ୍କା । ଆଉ ମାଗଣା ବ୍ୟବହାର କରିପାରିବେନି ଟ୍ୱିଟର । ବିଶ୍ୱର ସବୁଠାରୁ ବଡ଼ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ କିଣିବା ପରେ ଲଗାତର ଭାବରେ ଚର୍ଚ୍ଚାରେ ରହିଆସୁଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ । ଏହାରି ମଧ୍ୟରେ ମସ୍କ ଆଉ ଏକ ନିଷ୍ପତ୍ତି ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଆଗାମୀ ଦିନରେ ଆଉ ମଗଣାରେ ଟ୍ୱିଟରକୁ ବ୍ୟବହାର କରିପାରିବେନି ବୋଲି ଟ୍ୱିଟ କରି ଇସାରା ଦେଇଛନ୍ତି ଏଲନ ମସ୍କ । ତେବେ ଏହି ନିୟମ ସାଧାରଣ ୟୁଜର୍ସଙ୍କ ପାଇଁ ନୁହେଁ । ସରକାରୀ ସଂସ୍ଥା କିମ୍ବା କୌଣସି ଅନୁଷ୍ଠାନର ୟୁଜର୍ସଙ୍କ ପାଇଁ ଲାଗୁ ହେବ । ସାଧାରଣ ୟୁଜର୍ସଙ୍କ ପାଇଁ ଏହି ସେବା ମାଗଣାରେ ଉପଲବ୍ଧ ହେବ ବୋଲି କହିଛନ୍ତି ଏଲନ ମସ୍କ ।

ସୂଚନା ଅନୁସାରେ ଟ୍ୱିଟରକୁ କିଣିବା ପରେ ଏଲନ ମସ୍କ କମ୍ପାନୀରେ ବଡ଼ ଧରଣର ପରିବର୍ତ୍ତନ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏପରିକି ଆଗାମୀ ଦିନରେ ଏହି ପ୍ରକ୍ରିୟା ଶେଷ ହେବା ପରେ ସେ କମ୍ପାନୀ ସିଇଓ ପରାଗ ଅଗ୍ରଓ୍ୱାଲ ଓ ପଲିସି ମୁଖ୍ୟ ବିଜୟା ଗାଡେଙ୍କୁ ବାହାର ରାସ୍ତା ଦେଖାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ୪୪ ବିଲିଅନ ଡଲାରରେ ଟ୍ୱିଟରକୁ କ୍ରୟ କରିବା ପରେ ଏଲନ ମସ୍କ କହିଥିଲେ ଯେ ବାକ୍ ସ୍ୱାଧିନତା ସମସ୍ତଙ୍କ ଅଧିକାର । ଏହାସହ ଆଲଗୋରିଦିମକୁ ଓପନ ରଖିବା ପାଇଁ ମସ୍କ ଚାହୁଁଥିବା ପ୍ରକାଶ କରିଥିଲେ ।