ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ସଫଳତା । ବାରମୁଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିପାତ । ଶନିବାର ସକାଳୁ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା । ସେନା ଓ ଜାମ୍ମୁକାଶ୍ମୀରର ମିଳିତ ବାହିନୀ ବାରାମୁଲାରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଏନକାଉଣ୍ଟର ଅପରେସନରେ ପ୍ରଥମେ ଏକ ଆତଙ୍କବାଦୀକୁ ହତ୍ୟା କରାଯାଇଥିବାବେଳେ ପରେ ଆଉ ଜଣକୁ ଖୋଜି ଖୋଜି ମାରି ଦିଆଯାଇଛି । ପରେ ପରେ ତୃତୀୟ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ ସୁରକ୍ଷାକର୍ମୀ । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

ସେପଟେ ଅନନ୍ତନାଗ କୋକରାନାଗରେ ଚତୁର୍ଥ ଦିନରେ ମଧ୍ୟ ଆତଙ୍କବାଦୀଙ୍କୁ ଖୋଜା ଚାଲିଛି । ପାହାଡି ଇଲାକାରେ ଲୁଚିଥିବା ଆତଙ୍କବାଦୀଙ୍କୁ ଖୋଜି ବାହର କରିବା ପାଇଁ ଡ୍ରୋନ ଓ ହେଲିକପ୍ଟରର ସାହାଯ୍ୟ ନିଆଯାଉଛି । ତେବେ ଆତଙ୍କବାଦୀଙ୍କ ଆଡ୍ଡାକୁ ସୁରକ୍ଷାକର୍ମୀ ବୋମା ମାଡ କରି ଧ୍ବସ୍ତ କରିଦେଇଛନ୍ତି । ତେବେ ଟାର୍ଗେଟ ପାଖରେ ସୁରକ୍ଷାକର୍ମୀ ପହଞ୍ଚିଗଲେଣି ବୋଲି କହିଛନ୍ତି କାଶ୍ମୀର ଜୋନର ଏଡିଜିପି । ଏହି ଇଲାକାରେ ଲସ୍କର କମାଣ୍ଡର ଉଜୈର ଖାନ, ଅନ୍ୟ ଏକ ଆତଙ୍କୀ ସହ ଲୁଚି ରହିଛି । ଏହି ଆତଙ୍କବାଦୀମାନେ କର୍ଣ୍ଣେଲ ମନପ୍ରୀତ ସିଂହ, ମେଜର ଆଶିଷ ଧନୌକ ଓ ଜାମ୍ମୁକାଶ୍ମୀର ପୋଲିସ ଡିସିପି ହୁମାୟୁନ ଭଟ୍ଟଙ୍କୁ ଫାୟାରିଙ୍ଗ କରି ସହିଦ କରିଦେଇଥିଲେ ।