ପୁଲୱାମାରେ ଗୁଳିବିନିମୟ: ଜଣେ ଆତଙ୍କବାଦୀ ନିହତ, ୨ ଯବାନ ଆହତ
1 min read
ଶ୍ରୀନଗର: ଜମ୍ମୁ କାଶ୍ମୀର ପୁଲୱାମାର ଗୁସୁରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ପୋଲିସ କର୍ମଚାରୀ ଓ ସେନାର ଜଣେ ଯବାନ ଆହତ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଆତଙ୍କବାଦୀ ଥିବା ଖବର ପାଇ ସମ୍ପୃକ୍ତ ଅଞ୍ଚଳକୁ ପୋଲିସ ଓ ଆର୍ମିର ୫୩ ରାଷ୍ଟ୍ରୀୟ ରାଇଫଲ ଘେରାବନ୍ଦୀ କରି ନେଇଥିଲେ ।

ପୋଲିସ ଓ ଯବାନ ଅଞ୍ଚଳକୁ କର୍ଡନ କରିନେବା ପରେ ଆତଙ୍କବାଦୀ ଗୁଳି ବର୍ଷଣ ଆରମ୍ଭ କରିଥିଲେ । ଯାହାର ମୁହଁତୋଡ଼ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ସେଠାରେ ୨ରୁ ୩ ଆତଙ୍କବାଦୀ ଛପି ରହିଥିବା ସୂଚନା ମିଳିଛି । ଏବେବି ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।

ଏହା ପୂର୍ବରୁ ଜୁଲାଇ ୫ ତାରିଖରେ ପୁଲୱାମାରେ ସିଆରପିଏଫ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ସିଆରପିଏଫ ଯବାନଙ୍କୁ ଟାର୍ଗେଟ୍ କରି ଆଇଡି ବିସ୍ଫୋରଣ କରିଥିଲେ ଆତଙ୍କବାଦୀ । ଏତିକି ନୁହେଁ IED ବିସ୍ଫୋରଣ ପରେ ଆତଙ୍କବାଦୀ ସିଆରପିଏଫ ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଏଥିରେ ମୃତାହତ ନେଇ କୌଣସି ଖବର ନଥିଲା । ଯାହା ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ସେନା ।